Categories: ଜାତୀୟ

ଦ୍ୱିତୀୟଥର ମଣିପୁର ମୁଖ୍ୟମନ୍ତ୍ରୀ ହେବେ ଏନ ବିରେନ ସିଂ

ଇମ୍ଫାଲ,୨୦।୩: ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ରବିବାର ସ୍ପଷ୍ଟ ହୋଇଛି। ମଣିପୁର ଭାଜପା ବିଧାୟକ ଦଳର ବୈଠକରେ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି। ଫଳରେ ବିରେନ ସିଂ କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଛନ୍ତି। ରବିବାର ଭାଜପାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଏବଂ କିରେନ ରିଜିଜୁଙ୍କ ଉପସ୍ଥିତିରେ ଆୟୋଜିତ ଏକ ବୈଠକରେ ବିରେନ ସିଂଙ୍କ ନାମ ଅନୁମୋଦନ କରାଯାଇଛି। ତେବେ ଏପର୍ଯ୍ୟନ୍ତ ଶପଥ ଗ୍ରହଣ ସମାରୋହ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ବାହାରି ନାହିଁ।
ବିରେନ ସିଂଙ୍କ ନାମ ଘୋଷଣା ପରେ ସୀତାରମଣ କହିଛନ୍ତି, ସମସ୍ତଙ୍କ ସହମତି ଅନୁଯାୟୀ ଏହା ଏକ ଭଲ ନିଷ୍ପତ୍ତି। ମଣିପୁରର ଏକ ସ୍ଥିର ଏବଂ ଦାୟିତ୍ୱପୂର୍ଣ୍ଣ ସରକାର ଅଛି। ଏହି ସରକାର ରାଜ୍ୟର ବିକାଶକୁ ଆହୁରି ଆଗକୁ ନେବାକୁ ପ୍ରତିଶ୍ରୁତିବଦ୍ଧ। ଏହାପୂର୍ବରୁ ଶନିବାର ଦିଲ୍ଲୀର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇ ଉତ୍ତର-ପୂର୍ବ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ଆଲୋଚନା କରାଯାଇଥିଲା।

Share