Categories: Uncategorized

ଏନ୍‌ଆଇଏ ତଦନ୍ତ ପାଇଁ ଅମିତ ଶାହାଙ୍କୁ ଭାଜପାର ଚିଠି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ହନୁମାନ ଜୟନ୍ତୀ ବେଳେ ସମ୍ବଲପୁରରେ ସଂଘଠିତ ହିଂସାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ଭାଜପା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ତଦନ୍ତ ଦାବି କରିଛି। ଏନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ଏମ୍‌ପି ଓ ବିଧାୟକମାନେ ଶନିବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି। ଭାଜପା ନେତାମାନେ ଅଭିଯୋଗ କରିଛନ୍ତି, ପୂର୍ବ ଯୋଜନା ଓ ସଂଗଠିତ ଭାବେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବାଇକ ରାଲି ଉପରେ ଆକ୍ରମଣ କରିଥିଲେ। ଏହି ଷଡ଼ଯନ୍ତ୍ରର ରହସ୍ୟ ଉନ୍ମୋଚନ କରିବା ପାଇଁ ଏନ୍‌ଆଇଏ ଦ୍ୱାରା ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏଥିସହିତ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ଆଗାମୀ ଦିନରେ ଯେପରି ହିଂସାକାଣ୍ଡ ନ ହେବ ଓ ସାମ୍ପ୍ରଦାୟିକ ସଦ୍‌ଭାବ ଫେରିଆସିବ ସେ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଭାଜପା ନେତାମାନେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଉକ୍ତ ଗଣ୍ଡଗୋଳ ପାଇଁ ଚିଠିରେ ପୋଲିସ ବିଭାଗ ଓ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଇଛି। ଏହି ଚିଠିରେ ମନମୋହନଙ୍କ ସହିତ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି, ବିଧାୟକ ନାଉରୀ ନାଏକ, ସୂର୍ଯ୍ୟବଂଶୀ ସୂରଜ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କେ. ସୂର୍ଯ୍ୟନାରାୟଣ ରାଓ ପ୍ରମୁଖ ଦସ୍ତଖତ କରିଛନ୍ତି।