ବିଜେଡି ନାଁରେ ସାଂଘାତିକ ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର, ୧୪।୮(ସୁନିତ୍‌ ମିଶ୍ର)ବିଜେଡି ସରକାର ସମୟରେ କିଭଳି ଦୁର୍ନୀତି ଖୁଲମଖୁଲା ଚାଲିଥିଲା ଓ ସରକାରୀ ଅର୍ଥ ଲୁଟ୍‌କରି ସରକାରୀ ଅଧିକାରୀମାନେ କଳାଟଙ୍କା ଠୁଳ କରିଥିଲେ, ତାହାର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉରୁ ସାମ୍ନାକୁ ଆସୁଛି। ଆଗରୁ ନବୀନବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ଭିଜିଲାନ୍ସ କେବଳ ଛୋଟ କେରାଣ୍ଡି ଓ ଗଡ଼ିଶା ମାଛକୁ ଧରୁଥିଲା। କିରାଣି ଓ ପିଅନଙ୍କ ଦୁର୍ନୀତିକୁ ଧରପଗଡ଼ କରି ନବୀନବାବୁ ସ୍ବଚ୍ଛତାର ଡିଣ୍ଡିମ ପିଟୁଥିଲେ। ଏବେ ମୋହନ ମାଝୀଙ୍କ ମୁଖ୍ୟମନ୍ତ୍ରିତ୍ୱରେ ହୋଇଥିବା ଭାଜପା ସରକାର ବିଜେଡିର ଦୁର୍ନୀତିଖୋର ଗେହ୍ଳା ପୁଅମାନଙ୍କୁ ଜେଲର ରାସ୍ତା ଦେଖାଉଛି। ଏହି ସମସ୍ତ ଅଧିକାରୀ ବିଜେଡିର ୨୪ ବର୍ଷର ସରକାର ସମୟରେ ଦୁର୍ନୀତି କରିବାର ସୀମା ଲଙ୍ଘିଥିଲେ। ଭାଜପା ସରକାର ଓଡ଼ିଶାରେ ସରକାରୀ ଅର୍ଥ ଲୁଟିଥିବା କୌଣସି ମାଫିଆଙ୍କୁ ଛାଡ଼ିବ ନାହିଁ ବୋଲି ଭାଜପା ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅନିଲ କହିଛନ୍ତି, ନବୀନବାବୁ ଦିନେ ମୁଖ୍ୟମନ୍ତ୍ରୀ ଥିବାବେଳେ କହିଥିଲେ, ”ଆପଣମାନେ ଗଁା ଜଗନ୍ତୁ ମୁଁ ସଚିବାଳୟ ଜଗିଛି।“ ଯଦି ଗଁା ଜଗିଥିବା ଅଫିସରଙ୍କ ଘରୁ ଅନେକ କୋଟି ଟଙ୍କା ବାହାରୁଛି ତେବେ ସଚିବାଳୟ ଜଗିଥିବା ନବୀନବାବୁ ଓ ତାଙ୍କର ଅସାଧୁ ପାରିଷଦଙ୍କ ଘରୁ କେତେ ଟଙ୍କା ବାହାରିବ। ୫-ଟି ଅଧୀନରେ ଯେତେ ପ୍ରକଳ୍ପ ହୋଇଛି ସବୁଠି ଏଭଳି ଅପର୍ଯ୍ୟାପ୍ତ ଟଙ୍କା ଲୁଟ୍‌ କରାଯାଇଛି। ନବୀନବାବୁଙ୍କ ସରକାର ସମୟରେ ବିଜେଡି ମନ୍ତ୍ରୀ ଓ ଅସାଧୁ ବ୍ୟକ୍ତିମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କ ଦ୍ୱାରା ବ୍ୟାପକ ଅର୍ଥ ଲୁଟ୍‌ କରୁଥିଲେ ଓ ନିଜର କମିଶନ ନେଇ ସେମାନଙ୍କୁ ସୁରକ୍ଷା ଦେଉଥିଲେ। ଆଗାମୀ ଦିନରେ ଆହୁରି ବଡ଼ ବଡ଼ ମାଛଙ୍କର ମୁଖା ଖୋଲିବ। ନବୀନବାବୁ ଦୁର୍ନୀତିଠାରୁ ଦୂରରେ ରୁହନ୍ତି ବୋଲି ଯେଉଁ ଗପଟି ବିଜେଡିର ବଚସ୍କରମାନେ କୁହନ୍ତି, ସେମାନେ ଏବେ ଜବାବ ଦିଅନ୍ତୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଯଦି ସ୍ବଚ୍ଛ ଥିଲେ ତେବେ ସେ ସରକାରରୁ ଯାଉ ଯାଉ ଏତେ କୋଟିପତି ଦୁର୍ନୀତିଗ୍ରସ୍ତ ଅଫିସର କେମିତି ଧରାପଡ଼ିଲେ ବୋଲି ଅନିଲ ପ୍ରଶ୍ନ କରିଛନ୍ତି।

Share