ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବାକୁ ଭାଜପାର ଇସ୍ତାହାର ପ୍ରତିଶ୍ରୁତି: ପାଣ୍ଡିଆନ

ଭୁବନେଶ୍ୱର, ୬।୫(ସୁନିତ୍‌ ମିଶ୍ର):ରାଜ୍ୟ ଭାଜପା ପ୍ରକାଶ କରିଥିବା ଇସ୍ତାହାରକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଟାର୍ଗେଟ କରିଛନ୍ତି। ଭାଜପା ଇସ୍ତାହାରରେ ଧାନର ସହାୟକ ମୂଲ୍ୟ ୩୦୦୦ଟଙ୍କାକୁ ବୃଦ୍ଧି ଓ ଭତ୍ତାକୁ ୩୦୦୦ ଟଙ୍କାକୁ ବୃଦ୍ଧି ନିମନ୍ତେ ପ୍ର୍ରତିଶ୍ରୁତିକୁ କଟାକ୍ଷ କରି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ଏହା କେବଳ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଓ ଠକିବାର ଗ୍ୟାରେଣ୍ଟି। ନିର୍ବାଚନ ସମୟରେ ଚାଷୀ ଓ ଗରିବଙ୍କ କଥା କେମିତି ମନେ ପଡ଼ିଲା। ଏଥିରେ ଧାନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୦୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ମାତ୍ର ଗତ ୧୦ ବର୍ଷ ଧରି ସେମାନେ କ୍ଷମତାରେ ଥିଲେ, ସେତେବେଳେ କ’ଣ ଶୋଇଥିଲେ। ଯଦି ଏମ୍‌ଏସ୍‌ପି ୩୦୦୦ ଟଙ୍କା କରିବାର ଥିଲା, ତେବେ ଆଗରୁ କାହିଁକି କଲେ ନାହିଁ। ନିର୍ବାଚନ ଆସିବା ବେଳକୁ ଚାଷୀଙ୍କ କଥା ମନେ ପଡ଼ୁଛି, ଅନୁରୂପଭାବେ ନିର୍ବାଚନ ଇସ୍ତାହାରରେ ଭତ୍ତା ୩୦୦୦ ଟଙ୍କା ଦେବାକୁ କହୁଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ‘ଡବଲ ଇଞ୍ଜିନ’ ସରକାର ଭତ୍ତା ଦେଉଛନ୍ତି ମାତ୍ର ୩୦୦ ଟଙ୍କା, ଅନ୍ୟପକ୍ଷରେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ୧୦୦୦ ଟଙ୍କା ପ୍ରଦାନ କରୁଛନ୍ତି। ୬ ମାସ ପୂର୍ବରୁ ଭତ୍ତା ୩୦୦୦ ଟଙ୍କାକୁ ବଢ଼଼ାଇଥିଲେ କ’ଣ ଅସୁବିଧା ହୋଇଥାଆନ୍ତା। ବାସ୍ତବରେ ଏହା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଓ ଠକିବା ପାଇଁ ଭାଷଣବାଜି। ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ପାଇଁ ଚିନ୍ତା କରନ୍ତି। ଓଡ଼ିଶାର ଚାଷୀ, ଯୁବକ, ମହିଳାଙ୍କ ବିକାଶ କଥା ମୁଖ୍ୟମନ୍ତ୍ରୀ ସବୁବେଳେ ଚିନ୍ତା କରିଆସିଛନ୍ତି। ଆପଣଙ୍କ ସୁଖଦୁଃଖରେ ଠିଆ ହୋଇଥାଆନ୍ତି। ସେ ଭୋଟ ପାଇଁ କେବେ କାମ କରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାହା ହିଁ କରନ୍ତି। ‘ନବୀନ ଇଞ୍ଜିନ’ ଗ୍ୟାରେଣ୍ଟି ଅସରନ୍ତି ବୋଲି ପାଣ୍ଡିଆନ କହିଛନ୍ତି।

Share