ବେଙ୍ଗାଲୁରୁ,୩୦ ।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି । ଲିଙ୍ଗାୟତ ସମ୍ପ୍ରଦାୟ ସହ ମଜଭୁତ ସମ୍ପର୍କ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଇସ୍ତଫା ଦେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ୨ ବର୍ଷ ପରେ ଅର୍ଥାତ୍ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଲାଣି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବସବରାଜ ବୋମ୍ମଇ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ୍ ସମୟରେ ମନ୍ତ୍ରିମଣ୍ଡଳକୁ ନେଇ ଆଲୋଚନା କରି ପାରନ୍ତି । ଏଥିପାଇଁ ତାଙ୍କ ଦିଲ୍ଲୀ ଗସ୍ତକୁ ଗୁରୁତ୍ୱପୁର୍ଣ୍ଣ ବୋଲି କୁହାଯାଉଛି । କେବଳ ଏତିକି ନୁହେଁ ଭାଜପା କର୍ନାଟକରେ ଆଉ ଏକ ପ୍ରୟୋଗ କରିପାରେ ବୋଲି ଅନୁମାନ କରାଯାଉଛି । ଭାଜପା କର୍ନାଟକରେ ୫ଜଣ ଉପ ମୁଖ୍ୟମନ୍ତ୍ରୀ କରିପାରେ । ଏହିପରି ଭାବେ ଆସନ୍ତା ବିଧାନସଭା ନିର୍ବାଚନ ସମିକରଣ ପାଇଁ ଭାଜପା ପ୍ରସ୍ତୁତ ହେଉଥିବା କୁହାଯାଉଛି ।