Categories: ଜାତୀୟ

ଉପନିର୍ବାଚନରେ ଶିବପାଲଙ୍କୁ ପ୍ରାର୍ଥୀ କରିପାରେ ଭାଜପା

ଲକ୍ଷ୍ନୌ,୧୩।୧୦: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ମୈନପୁରୀ ଏମ୍‌ପି ମୁଲାୟମ ସିଂ ଯାଦବଙ୍କ ପରଲୋକ ପରେ ଉକ୍ତ ଆସନକୁ ବଜାୟ ରଖିବା ଏବେ ଦଳ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ୬ ମାସ ମଧ୍ୟରେ ଉକ୍ତ ଲୋକ ସଭା ଆସନରେ ଉପନିର୍ବାଚନ ହେବ। ତେବେ ନେତାଜୀଙ୍କ ପରଲୋକ ଜନିତ ଅନୁକମ୍ପା ସତ୍ତ୍ୱେ ଉକ୍ତ ଆସନକୁ ବଜାୟ ରଖିବା ସମାଜବାଦୀ ପାର୍ଟି ପାଇଁ କଷ୍ଟକର ହୋଇପଡ଼ିବ ବୋଲି କୁହାଯାଉଛି। ଆଜମଗଡ଼ ଏବଂ ରାମପୁର ଦଖଲ କରିବା ପରେ ଭାଜପା ଏବେ ଏସ୍‌ପିର ଶେଷ ଦୁର୍ଗ ଦଖଲ କରିବା ଯୋଜନାରେ ରହିଛି।

ଅଖିଳେଶଙ୍କ ଦାଦା ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ଯଦି ଉକ୍ତ ଆସନରୁ ଉପନିର୍ବାଚନ ଲଢ଼ିବାକୁ ଚାହାନ୍ତି, ତେବେ ତାଙ୍କୁ ଭାଜପା ସମର୍ଥନ ଦେଇପାରେ ବୋଲି କୁହାଯାଉଛି। ୨୦୨୪ରେ ମୁଲାୟମ ଯଦି ମୈନପୁରୀରୁ ନିର୍ବାଚନ ନ ଲଢ଼ନ୍ତି, ତେବେ ଶିବପାଲ ସେଠାର ପ୍ରାର୍ଥୀ ହେବେ ବୋଲି ପୂର୍ବରୁ କହିଥିଲେ। ତେବେ ମୁଲାୟମଙ୍କ ପରଲୋକ ଘଟିଥିବାରୁ ଶିବପାଲ ଉପନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରାଇପାରନ୍ତି ବୋଲି ଜଣେ ବରିଷ୍ଠ ଭାଜପା ନେତା କହିଛନ୍ତି।

Share