Categories: ଜାତୀୟ

ଆଗକୁ ନିର୍ବାଚନ: ଭାଜପା ଉପରେ ବଡ଼ ଅଭିଯୋଗ ଆଣିଲେ ଖାର୍ଗେ

ନୂଆଦିଲ୍ଲୀ,୧୪।୩: ଭାଜପା ୪୫ଟି କମ୍ପାନୀରୁ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ୪୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭଳି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରିଥିବା କଂଗ୍ରେସ ଗୁରୁବାର ଅଭିଯୋଗ ଆଣିଛି।

ଏହିସବୁ କମ୍ପାନୀ ଉପରେ ଚଢ଼ାଉ ପରେ ସେମାନେ ଭାଜପାକୁ ଚାନ୍ଦା ଦେଇଥିଲେ। ଯଦି ଗଣତନ୍ତ୍ର ବିଷୟରେ ଚିନ୍ତା କରୁଥାଏ, ତେବେ ଭାଜପା ଏହାର ପାଣ୍ଠି ସଂଗ୍ରହ ଉପରେ ଏକ ଶ୍ୱେପତ୍ର ଆଣୁ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି।

ଏକ ଗଣମାଧ୍ୟମ ରିପୋର୍ଟକୁ ଦେଖାଇ ସେ କହିଛନ୍ତି, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉ ପରେ ଆଉ ୧୫ଟି କମ୍ପାନୀ ଭାଜପାକୁ ଚାନ୍ଦା ଦେଇଥିବା ଏକ ସାନି ତଦନ୍ତରୁ ଜଣାପଡ଼ିଛି।

ଅଧିକ ଚାନ୍ଦା ପାଇବା ପାଇଁ ଏହା ବ୍ଲାକ୍‌ମେଲ, ନା ଜବରଦସ୍ତ ଆଦାୟ ନା ଲୁଟ୍‌ ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି। ୪ଟି ନାମମାତ୍ର କମ୍ପାନୀ ମଧ୍ୟ ଭାଜପାକୁ ଚାନ୍ଦା ଦେଇଛନ୍ତି। ଏକଚ୍ଛତ୍ରବାଦୀ ମୋଦି ସରକାର ଚାନ୍ଦା ଆଦାୟ ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଲଗାଇଥିବା ବେଳେ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦେଇଥିବା ଖାର୍ଗେ ଅଭିଯୋଗ କରିଛନ୍ତି।

ଲୁଟ୍‌ ଅର୍ଥକୁ ସୁରକ୍ଷା ଦେବା ପାଇଁ ଭାଜପା ଅସାମ୍ବିଧାନିକ ଏବଂ ବେଆଇନ ଇଲେକ୍ଟୋରାଲ ବଣ୍ଡ୍‌ ବ୍ୟବହାର କରୁଥିଲା। ଯଦି ଗଣତନ୍ତ୍ରର ଜନନୀ ପାଇଁ ଭାଜପା ଚିନ୍ତା କରୁଥାଏ ତେବେ ଏହା ନିଜର ଅର୍ଥ ବ୍ୟବସ୍ଥା ଉପରେ ନିରପେକ୍ଷ ତଦନ୍ତ କରାଇ ଶ୍ୱେତପତ୍ର ଆଣୁ ବୋଲି ଖାର୍ଗେ ଦାବି କରିଛନ୍ତି।

Share