Categories: ଜାତୀୟ

ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ: ପୋଲିସକୁ ୨୪ ଘଣ୍ଟା ଛୁଟିରେ ପଠାଇ ଦିଆଯାଉ, ହିନ୍ଦୁମାନେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୯: ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ ରାଣେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲିରେ ଏକ କାର୍ଯ୍ୟକ୍ରମରେ ନୀତେଶ କହିଛନ୍ତି, ୨୪ ଘଣ୍ଟା ଛୁଟିରେ ପୋଲିସ ପଠାଇ ଦିଆଯାଉ। ହିନ୍ଦୁମାନେ ନିଜର ଶକ୍ତି ପ୍ରଦର୍ଶନ କରିବେ।

ଅସଦୁଦ୍ଦିନ ଓୱାଇସିଙ୍କ ପାର୍ଟି ଏଆଇଏମଆଇଏମର ନେତା ୱାରିସ ପଠାନ ତାଙ୍କ ବିବୃତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କୁକୁରମାନେ ଭୁକିବାରେ ଲାଗନ୍ତି, ସିଂହମାନେ ଏଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ନୀତେଶ ରାଣେ କହୁଛନ୍ତି, ୨୪ ଘଣ୍ଟା ପୋଲିସ ହଟାନ୍ତୁ, ହିନ୍ଦୁମାନେ ନିଜର ଶକ୍ତି ପ୍ରଦର୍ଶନ କରିବେ। ଯଦି ମୁଁ ସମାନ କଥା କହିଥାନ୍ତେ, ମୁଁ ବର୍ତ୍ତମାନ ଜେଲରେ ଥା’ନ୍ତି।

ୱାରିସ ପଠାନ ଆହୁରି କହିଛନ୍ତି, ନୀତେଶ ରାଣେ ମସଜିଦ ଭିତରକୁ ପ୍ରବେଶ କରି ମୁସଲମାନମାନଙ୍କୁ ହତ୍ୟା କରିବା କଥା କହୁଛନ୍ତି। ତୁମେ ପ୍ରଥମେ ଆସ, ତୁମର ଦୁଇ ଗୋଡ଼ ବାନ୍ଧି ଷ୍ଟ୍ରେଚର ନେଇଯିବୁ। ନିର୍ବାଚନ ସମୟରେ ଭାଜପା ମହାରାଷ୍ଟ୍ରରେ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି ଏବଂ ଆଉ କିଛି ନୁହେଁ।

ଏହାପୂର୍ବରୁ ସେପ୍ଟେମ୍ବର ୧ରେ ଅହମ୍ମଦନଗରରେ ସକଲ ହିନ୍ଦୁ ସମାଜ ଆନ୍ଦୋଳନ ସମୟରେ ନୀତେଶ ରାଣେ କହିଥିଲେ, ଯେଉଁ ଭାଷାରେ ବୁଝିବ, ସେହି ଭାଷାରେ ଧମକ ଦେଇକି ଯାଉଛି। ଯଦି ତୁମେ ଆମର ରାମଗିରି ମହାରାଜାଙ୍କ ବିରୋଧରେ କିଛି କର, ତୁମର ମସଜିଦ ଭିତରକୁ ଯାଇ ତୁମକୁ ଗୋଟି ଗୋଟି କରି ହତ୍ୟା କରିବୁ, ଏହାକୁ ମନେରଖ।

ରାଣେଙ୍କ ଏହି ବିବୃତ୍ତି ମହାରାଷ୍ଟ୍ରରେ ଅନେକ ରାଜନୈତିକ ଉତ୍ତେଜନା ସୃଷ୍ଟି କରିଥିଲା। ଏହି ମାମଲାରେ ମହାରାଷ୍ଟ୍ର ପୋଲିସ ଅଭିଯୋଗ ପରେ ଦୁଇଟି ଏଫଆଇଆର ରୁଜୁ କରିଥିଲା।

Share