Categories: ଜାତୀୟ

ଭାଜପା ନେତାଙ୍କ ବିବାଦୀୟ ଟିପ୍ପଣୀ: କୃଷକ ଆନ୍ଦୋଳନ ଯୋଗୁ ବ୍ୟାପୁଛି ବାର୍ଡ ଫ୍ଲୁ

ଜୟପୁର,୧୦ ।୧: କେନ୍ଦ୍ର କୃଷି ଆଇନକୁ ନେଇ ଦୀର୍ଘ ପ୍ରାୟ ଦେଢ ମାସ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ନେଇ ରାଜସ୍ଥାନର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ମଦନ ଦିଲାୱର ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି କେତେଜଣ ତଥାକଥିତ କୃଷକ ଆନ୍ଦୋଳନ କରୁଛନ୍ତି । ଏହି ତଥାକଥିତ କୃଷକ କୌଣସି ଆନ୍ଦୋଳନରେ ଭାଗ ନ ନେଇ ବରଂ ବଳକା ସମୟରେ ଚିକେନ ବିରିୟାନି ଓ ଡ୍ରାଏ ଫ୍ରୁଟ୍ସର ଆନନ୍ଦ ନେଉଛନ୍ତି । ଏହା କେବଳ ବାର୍ଡ ଫ୍ଲୁ ବଢାଇବା ଯୋଜନା ବୋଲି ଦିଲାୱର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କୃଷକଙ୍କ ମଧ୍ୟରେ ଆତଙ୍କବାଦୀ, ଲୁଟେରା ଓ ଚୋର ବି ଥାଇ ପାରନ୍ତି ଏହାସହ କୃଷକଙ୍କ ଶତୁ ବି ଥାଇ ପାରନ୍ତି । ଏମାନେ ସମସ୍ତେ ମିଶି ଦେଶକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ଯଦି ସକାର ଏମାନଙ୍କୁ ଆନ୍ଦୋଳନ ସ୍ଥଳରୁ ନ ହଟାନ୍ତି ତେବେ ବାର୍ଡ ଫ୍ଲୁ ଏକ ବଡ ସମସ୍ୟା ହୋଇ ଦେଖାଦେବ । ସୂଚନାଯୋଗ୍ୟ, ଦୀର୍ଘ ପ୍ରାୟ ଦେଢମାସ ହେବ କୃଷକମାନେ ଆନ୍ଦୋଳନରେ ବସିଥିବା ବେଳେ ସରକାରଙ୍କ ସହ ବିଭିନ୍ନ ସମୟରେ କଥା ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନ ବାହାରି ପାରି ନାହିଁ । ଆଉ ଏପଟେ ବିଧାୟକ ଦିଲାୱରଙ୍କ ବିବାଦୀୟ ବୟାନ ଏବେ ରାଜନୀତିକୁ ସରଗରମ କରିବ ବୋଲି କୁହାଯାଉଛି ।

Share