Categories: ଜାତୀୟ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ରବିବାର ବିଧାୟକଙ୍କ ବୈଠକ

ଡେରାଡୁନ,୧୯।୩: ଉତ୍ତରାଖଣ୍ଡ ଭାଜପା ବିଧାୟକ ଦଳର ବୈଠକ ମାର୍ଚ୍ଚ ୨୦ରେ ଅନୁଷ୍ଠିତ ହେବ। ଏହି ବୈଠକରେ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ହେବ। ବିଧାନସଭା ନିର୍ବାଚନର ଫଳାଫଳର ଆସିବାର ୯ଦିନ ପରେ ବି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର କରାଯାଇପାରିନାହିଁ। ତେବେ ଦିଲ୍ଲୀରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଚଳିତ ଥର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପରାଜୟ ହୋଇଛନ୍ତି। ଭାଜପା ତାଙ୍କ ଚେହେରାକୁ ନେଇ ନିର୍ବାଚନ ଲଢ଼ିଥିଲା। ଏଥିଯୋଗୁ ଭାଜପାକୁ ନୂଆ ନେତା ବାଛିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅନ୍ୟପଟେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ବି ଭାଜପା ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ବାଛିବାରେ ସକ୍ଷମ ହୋଇପାରିନାହିଁ। ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ଏହାପରେ ମାର୍ଚ୍ଚ ୨୦ରେ ହେବାକୁ ଥିବା ଭାଜପା ବିଧାୟକଙ୍କ ବୈଠକରେ ଏହା ଉପରେ ମୋହର ଲାଗିବ। ତେବେ ମାର୍ଚ୍ଚ ୨୨ରେ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ। ଭାଜପା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଉତ୍ତରପ୍ରଦେଶର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କୁ ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଭାଜପା ବିଧାୟକଙ୍କ ବୈଠକରେ ଏହି ଦୁଇ ନେତା ମଧ୍ୟ ଉପସ୍ଥିତ ରହିବେ। ସୂଚନା ମୁତାବକ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଏପର୍ଯ୍ୟନ୍ତ ପୁଷ୍କର ସିଂ ଧାମି, ଧନ ସିଂ ରାୱତ ଏବଂ ଅନିଲ ବାଲୁନିଙ୍କ ନାମ ଆଗରେ ରହିଛି।

 

Share