Categories: ଜାତୀୟ

ଭାଜପା ହାତକୁ ଯିବ ବିହାର ବାଚସ୍ପତି ଆସନ!

ପାଟନା,୧୬ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ନନ୍ଦକିଶୋର ଯାଦବଙ୍କୁ ବିହାର ବିଧାନସଭାର ବାଚସ୍ପତି ପଦ ମିଳିପାରେ ବୋଲି ଆଲୋଚନା ହେଉଛି । ବିହାର ଭାଜପାର ଜଣେ ବଡ ନେତା ଭାବେ ଗଣା ଯାଉଥିବା ନନ୍ଦକିଶୋର ୭ମ ଥର ଲାଗି ପାଟନା ସାହେବ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ଏମିତିକି ପୂର୍ବରୁ ମଧ୍ୟ ସେ ନୀତୀଶ ସରକାରରେ ମନ୍ତ୍ରୀ ଥିଲେ । ଏବେ ବିହାରରେ ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଥିବା ବେଳେ ଉଭୟ ଭାଜପା ଓ ଜେଡିୟୁ ବାଚସ୍ପତି ପଦ ଉପରେ ନଜର ରଖିଛନ୍ତି । କାରଣ ଭାଜପାକୁ ବହୁମତ ମିଳି ନ ଥିବା ବେଳେ ଆଗକୁ ବାଚସ୍ପତି ପଦ ଗୁରୁତ୍ୱ ରଖୁଥିବାରୁ ଭାଜପା ଏହାକୁ ହାତଛଡା କରିବାକୁ ଚାହୁଁ ନାହିଁ । ତେଣୁ ଜେଡିୟୁକୁ ମୁଖ୍ୟମନ୍ତ୍ରୀ ଆସନ ଦେଇ ଭାଜପା ଏବେ ଜଣେ ବରିଷ୍ଠ ନେତାଙ୍କୁ ବାଚସ୍ପତି ଆସନରେ ବସାଇବାକୁ ଚାହୁଁଛି । ଏହି କ୍ରମରେ ନନ୍ଦକିଶୋର ଜଣେ ଅନୁଭବି ନେତା ହୋଇଥିବାରୁ ଭାଜପା ଏବେ ତାଙ୍କୁ ବାଚସ୍ପତି ଆସନରେ ବସାଇବାକୁ ପ୍ରୟାସ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

Share