ବିଜେଡିର ଗୁଣଗାନ କଲେ ଭାଜପା ବିଧାୟକ

ଉଦଳା,୨୮ା୧୧(ସନ୍ତୋଷ କୁମାର ବାଚ୍ଛିନୀ):ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ଭାସ୍କର ମଢ଼େଇ ବିଜେଡିର ଗୁଣଗାନ କରି ଚର୍ଚ୍ଚାକୁ ଆସିଛନ୍ତି। ସୋମବାର ନୂଆସାହିସ୍ଥିତ କପ୍ତିପଦା କଲେଜଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଥିରେ ବିଧାୟକ ମଢେଇଙ୍କ ବିଜେଡି ପ୍ରୀତି ଦେଖିବାକୁ ମିଳିଥିଲା। ଆୟୋଜିତ ସଭାରେ ସେ ନବୀନ ସରକାରଙ୍କୁ ପ୍ରଶଂସା କରିବା ସହିତ ଛାତ୍ରୀଛାତ୍ରମାନଙ୍କ ଗହଣରେ ଯୁବ ଓଡ଼ିଶା ନବୀନ ଓଡ଼ିଶାର ନାରା ଦେଇଥିଲେ। ବିଜୁ ଛାତ୍ର ଜନତା ଦଳ ମୟୂରଭଞ୍ଜ-୧ ପକ୍ଷରୁ ଉଦଳା ନିର୍ବାଚନମଣ୍ଡଳୀ ଅଧୀନ କପ୍ତିପଦା କଲେଜଠାରେ ଛାତ୍ରୀଛାତ୍ରଙ୍କ ନାମ ନୂତନ ଭୋଟର ତାଲିକାରେ ପଞ୍ଜୀକରଣ କରାଇବା କାର୍ଯ୍ୟକ୍ରମ ଚାଲିଥିଲା। ବିଜେଡି ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଜୁ ଛାତ୍ର ଜନତା ଦଳ ସଭାପତି ସୁନୀଲ କୁମାର ନାଏକ ଉପସ୍ଥିତ ଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବିଧାୟକ ମଢ଼େଇ ବିଜେଡିର ଗୁଣଗାନ କରିବା ପରେ ଆଗାମୀ ଦିନରେ ସେ ବିଜେଡିରେ ଯୋଗଦେଇ ପାରନ୍ତି ବୋଲି କର୍ମୀ ମହଲରେ ଆଲୋଚନା ଚାଲିଛି। ପୂର୍ବରୁ ମଧ୍ୟ ସେ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ବିଜେଡିକୁ ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିଲେ। ଏ ସଂକ୍ରାନ୍ତରେ ବିଧାୟକ ମଢ଼େଇଙ୍କୁ ପଚାରିବାରୁ ସରକାରଙ୍କ କାର୍ଯ୍ୟକ୍ରମ ଲୋକପ୍ରିୟ କାର୍ଯ୍ୟକ୍ରମ, ଭଲକୁ ଭଲ କହିବାରେ କୌଣସି ଅସୁବିଧା ନାହିଁଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ମୟୂରଭଞ୍ଜ ପୂର୍ବ ସାଂଗଠନିକ ଜିଲା ଭାଜପା ସଭାପତି କାନ୍ଦ୍ରା ସୋରେନଙ୍କୁ ପଚାରିବାରୁ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ମଢ଼େଇ ଏପରି କହିଥିତ୍ବେ। ତେବେ ସେ ଯାହା କହିଥିବେ ତାହା ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଛନ୍ତି।