ଥିରୁଭାନନ୍ତପୁରମ,୩୧ ।୧୨: ମୋଦି ସରକାରଙ୍କ କୃଷି ଆଇନକୁ ବିରୋଧ କରି ଗତ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ କରି ଆସୁଛନ୍ତି । ଇତିମଧ୍ୟରେ କେରଳ ବିଧାନସଭାରେ ଗୁରୁବାର ସର୍ବସମ୍ମତିକ୍ରମେ କେନ୍ଦ୍ରର ୩ କୃଷି ନିୟମକୁ ରଦ୍ଦ କରିବାକୁ ଦାବି କରାଯାଇ ପ୍ରସ୍ତାବ ଦିଆଯାଇଛି । ତେବେ କେରଳ ବିଧାନସଭାରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଏକମାତ୍ର ବିଧାୟକ ତଥା ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ମନ୍ତ୍ରୀ ଥିବା ରାଜଗୋପାଳ ବି ବିଧାସଭାର ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ସୂଚନାଯୋଗ୍ୟ, କେରଳ ବିଧାନସଭାର ବିଶେଷ ଅଧିବେଶନକୁ ଗୁରୁବାର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରସ୍ତାବ ରଖିଥିଲେ । ଏଥିରେ ଶାସକ ବାମ ଲୋକତାନ୍ତ୍ରୀକ ମୋର୍ଚ୍ଚା(ଏଲ୍ଡିଏଫ୍) ବିରୋଧି କଂଗ୍ରେସ ସହିତ ସଂଯୁକ୍ତ ଲୋକତାନ୍ତ୍ରୀକ ମୋର୍ଚ୍ଚା(ୟୁଡିଏଫ୍) ଓ ଭାଜପାର ସମର୍ଥନରେ ସର୍ବସମ୍ମତି କ୍ରମେ ପାସ୍ କରାଗଲା । କେରଳ ବିଧାନସଭାର ଏହି ପ୍ରସ୍ତାବରେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ କୃଷକ ବିରୋଧୀ ଓ ଉଦ୍ଦ୍ୟୋଗପତିଙ୍କ ହିତ ବୋଲି ଦର୍ଶାଯାଇଛି ।