Categories: ଜାତୀୟ

ପୀଡ଼ିତାଙ୍କ ପରିଚୟ ପ୍ରଘଟ କଲେ ଭାଜପା ବିଧାୟକ

ହାଇଦ୍ରାବାଦ,୬।୬ : ହାଇଦ୍ରାବାଦର ଜୁବିଲି ହିଲ୍ସ ଅଞ୍ଚଳରେ ଘଟିଥିବା ନାବାଳିକା ଗଣବଳାତ୍କାର ମାମଲାରେ ଭାଜପା ବିଧାୟକ ତଥା ଆଇନଜୀବୀ ରଘୁନନ୍ଦନ ରାଓ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ନାବାଳିକାଙ୍କ ଫଟୋ ଥିବା ଜଣାପଡ଼ିବା ପରେ ବିବାଦ ଦେଖାଦେଇଛି। ବିଧାୟକ ଭିଡିଓ ଶେୟାର କରି କହିଛନ୍ତି, ବଳାତ୍କାରରେ ଜଣେ ଏମ୍‌ଆଇଏମ୍‌ ବିଧାୟକଙ୍କ ନାବାଳକ ପୁଅ ସମ୍ପୃକ୍ତ ଥିବା ଏହାର ପ୍ରମାଣ। ଚାପରେ ପଡ଼ି ପୋଲିସ ସମ୍ପୃକ୍ତ ନାବାଳକଙ୍କୁ କ୍ଲିନଚିଟ୍‌ ସହ ସୁରକ୍ଷା ଦେଉଛି। ତେଲଙ୍ଗାନା କଂଗ୍ରେସ ଇନ୍‌-ଚାର୍ଜ ତଥା ଏମ୍‌ପି ମାଣିକମ୍‌ ଟାଗୋର ଏକ ଟୁଇଟ କରି ବିଧାୟକ ରାଓ ଭିଡିଓ ଜାରି କରିବାକୁ ନିନ୍ଦା କରିଛନ୍ତି।

ଏଥିରେ ପୀଡ଼ିତା ଓ ନାବାଳକ ଅଭିଯୁକ୍ତଙ୍କ ଫଟୋ ଥିବାରୁ ରାଓ ସେମାନଙ୍କ ସହିତ ପରିବାରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛନ୍ତି। ବଳାତ୍କାର ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଏମ୍‌ଆଇଏମ୍‌ ବିଧାୟକଙ୍କ ପୁଅ ମଧ୍ୟ ରହିଥିବା ଅଭିଯୋଗ ହୋଇଛି। ଟିଆର୍‌ଏସ୍‌, ଭାଜପା ଏବଂ ଏମ୍‌ଆଇଏମ୍‌ ମଧ୍ୟରେ ତିକ୍ତତା ଯୋଗୁ ବିଧାୟକ ରାଓ ଏପରି କରିଛନ୍ତି କି ବୋଲି ଟାଗୋର ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ତେଲଙ୍ଗାନା ପୋଲିସ ରବିବାର ଚତୁର୍ଥ ଅଭିଯୁକ୍ତଙ୍କୁ ଗିରଫ କରିଛି। ପଞ୍ଚମ ଅଭିଯୁକ୍ତ ଏବେ ବି ଫେରାର ଥିବା ପୋଲିସ କହିଛି। ଗିରଫ ୪ ଜଣଙ୍କ ମଧ୍ୟରୁ ୩ ନାବାଳକ। ସେମାନଙ୍କ ମଧ୍ୟରେ ଜଣେ ଟିଆର୍‌ଏସ୍‌ ନେତାଙ୍କ ପୁଅ ଅଛନ୍ତି। ଅପରାଧରେ ଯିଏ ସମ୍ପୃକ୍ତ ଥାଆନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନରେ କୋହଳ କରାଯିବନି ବୋଲି ତେଲଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ୍‌ ପ୍ରତିଶ୍ରୁତି ଦେଇଛନ୍ତି। ଗତ ମାସ ୨୮ରେ ହାଇଦ୍ରାବାଦରେ ପବ୍‌ ପାର୍ଟିରୁ ଫେରୁଥିବା ୧୭ ବର୍ଷୀୟା ଛାତ୍ରୀଙ୍କୁ ଘରେ ଛାଡ଼ିଦେବାକୁ ପ୍ରତିଶ୍ରୁତି ଦେଇ କାର୍‌ ଭିତରେ ୫ ନାବାଳକ ବଳାତ୍କାର କରିଥିଲେ। ସେମାନଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଥିବା ଅଭିଯୋଗ ହୋଇଥିଲା।

ଆଉ ଜଣେ ନାବାଳିକାଙ୍କୁ ଗଣବଳାତ୍କାର

ତେଲଙ୍ଗାନାର ରାଙ୍ଗାରେଡ୍ଡୀ ଜିଲାର କୋନଦୁର୍ଗ ଗ୍ରାମରେ ଥିବା ମୁସଲମାନ କଲୋନିରେ ଜଣେ ଟ୍ୟାକ୍ସି ଡ୍ରାଇଭର ଓ ତାଙ୍କ ବନ୍ଧୁ ଜଣେ ନାବାଳିକାଙ୍କୁ ଅପହରଣ କରି ଗଣବଳାତ୍କାର କରିଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ମୋଘଲପୁରା ପୋଲିସ ଗିରଫ କରିଛି। ମୋଘଲପୁରାରେ ସମ୍ପର୍କୀୟଙ୍କ ଘରେ ରହୁଥିବା ନାବାଳିକା ଗତ ୩୧ ତାରିଖରେ ପାହାଡ଼ିଶରିଫ୍‌ରେ ରହୁଥିବା ମାଆବାପାଙ୍କ ପାଖକୁ ଫେରୁଥିବାବେଳେ ଡ୍ରାଇଭର କଲିମ ଅଲି ତାଙ୍କୁ କାର୍‌ରେ ଉଠାଇ ନେଇଥିଲେ। ବାଟରେ ତାଙ୍କ ସାଙ୍ଗ ଲକ୍‌ମାନଙ୍କୁ ଉଠାଇଥିଲେ। କୋନଦୁର୍ଗରେ ଥିବା ଲକ୍‌ମାନଙ୍କ ଘରେ ପହଞ୍ଚତ୍ବା ପରେ ନାବାଳିକାଙ୍କୁ ବଳାତ୍କାର କରିଥିଲେ ।

Share