ଅମିତାଭ ବଚ୍ଚନଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ,୩।୧୧- ବିବାଦରେ ଫସିଛି ଲୋକପ୍ରିୟ ଟେଲିଭିଜନ ଶୋ’ କୌନ ବନେଗା କରୋଡ ପତି ସିଜନ ୧୨। ଅକ୍ଟୋବର ୩୦ରେ ଶୋ’ର କରମବୀର ଏପିସୋଡରେ ଅଭିନେତା ଅମିତାଭ ବଚ୍ଚନ ମନୁସ୍ମୃତି ସମ୍ପର୍କିତ ଏକ ପ୍ରଶ ଜଣେ ସମାଜସେବୀଙ୍କୁ ପଚାରିଥିଲେ। ତେବେ ଏହି ପ୍ରଶ୍ନ ହିନ୍ଦୁ ଧର୍ମ ପ୍ରତି କୁଠାରଘାତ ଦର୍ଶାଇ ଅମିତାଭଙ୍କ ସମେତ ସୋନି ଟେଲିଭିଜନ ନାଁରେ ଏତଲା ଦାୟର କରିଛନ୍ତି ମହାରାଷ୍ଟ୍ର ଲାଟୁର ଜିଲାର ଆୟୁସା ଭାଜପା ବିଧାୟକ ଅଭିମନ୍ୟୁ ପାୱାର। ଏ ନେଇ ଅଭିମନ୍ୟୁ ଲାଟୁର ଏସପିଙ୍କ ନିକଟରେ ଅଭିଯୋଗ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ପ୍ରଶ୍ନଟି ଥିଲା-୧୯୨୭ ଡିସେମ୍ବର ୨୫ ତାରିଖରେ ବି.ଆର୍‌ ଆମ୍ବେଦକର ଓ ତାଙ୍କ ସମର୍ଥକମାନେ କେଉଁ ଧର୍ମଗ୍ରନ୍ଥ ପୃଷ୍ଠା ଜାଳି ଦେଇଥିଲେ ?
ଏହାର ଅପସନ ଥିଲା- (ଏ) ବିଷ୍ଣୁପୁରାଣ, ( ବି) ଭଗବତ ଗୀତା ( ସି ) ରୁଗବେଦ ଏବଂ ( ଡି ) ମନୁସ୍ମୃତି।
ଏହି ପ୍ରଶ୍ନର ଉତ୍ତରରେ ଅମିତାଭ କହିଥିଲେ ଯେ, ୧୯୨୭ରେ ଆମ୍ବେଦକର ଜାତିଗତ ଭେଦଭାବ ଏବଂ ଅସ୍ପୃଶ୍ୟତାକୁ ଆଦର୍ଶଗତ ଭାବରେ ନ୍ୟାୟ ଦେବା ପାଇଁ ପ୍ରାଚୀନ ହିନ୍ଦୁ ପାଠ ମନୁସ୍ମୃତିକୁ ନିନ୍ଦା କରିବା ସହିତ ଏହାର ନକଲକୁ ପୋଡି ଦେଇଥିଲେ। ଏହାପରେ ବିବାଦ ଘେରକୁ ଆସିଥିଲେ ଅମିତାଭ।

Share