
ଭୁବନେଶ୍ୱର,୧୮।୨: ଗୃହରେ ଉଠିଲା କିଟ୍ ଝଡ଼ । କିଟ୍ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ। ଭାଜପା ବିଧାୟକ କହିଛନ୍ତି, କିଟ୍ରେ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିଟ୍ ମାଲିକ କେଉଁ ଦଳର ଥିଲେ, କିଏ ତାଙ୍କୁ କୋଳରେ ବସାଇଥିଲେ। ପରୀ, ମମତା, ମାହାଙ୍ଗା ଘଟଣାରେ ବିଜେଡି ବିଧାୟକ ସାମିଲ ଥିଲେ। ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ହେଲେ ଆଜି ଆଇନଶୃଙ୍ଖଳା ପାଠ ପଢ଼ାଉଛନ୍ତି, ଯାହା ହାସ୍ୟାସ୍ପଦ ବୋଲି ଟଙ୍କଧର କହିଛନ୍ତି।
KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ ସାରା ବିଶ୍ୱରେ ନିନ୍ଦିତ ହୋଇଛି ଓଡ଼ିଶା। ଏହି ଘଟଣାରେ ଶିକ୍ଷାନୁଷ୍ଠାନରେ ଅଶାନ୍ତ ବାତାବରଣ ସୃଷ୍ଟି ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁଷ୍ଠାନକୁ ତୁରନ୍ତ ସାଇନ ଏ ଡାଏ ଘୋଷଣା କରିବା ସହିତ ଏଠାରେ ଅଧ୍ୟୟନରତ ନେପାଳର ଶତାଧିକ ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନ ଛାଡ଼ିବାକୁ ବାଧ୍ୟ କରିଥିଲେ। ଯାହା ଏଠାରେ କର୍ତ୍ତୁପକ୍ଷଙ୍କ ବେପରୁଆ ମନୋଭାବକୁ ପଦାରେ ପକାଇଛି।