ଆତ୍ମହତ୍ୟା ଧମକ ଦେଲେ ଭାଜପା ବିଧାୟକ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି ଦେବଗଡ଼ ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ। ଗୁରୁବାର ଗୃହରେ ମଣ୍ଡି ସମସ୍ୟାକୁ ନେଇ ଭାଜପା ବିଧାୟକମାନେ ହୋହଲ୍ଲା କରିଥିଲେ। ଏହି ସମୟରେ ମଣ୍ଡିରୁ ତୁରନ୍ତ ଧାନ ନ ଉଠାଇଲେ ଗୃହରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ସୁବାସ। ସେହିଭଳି ଅନ୍ୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ଏହି ପ୍ରସଙ୍ଗରେ ମନ୍ତ୍ରୀ ବିବୃତି ଦିଅନ୍ତୁ ବୋଲି ଦାବି କରିଛନ୍ତି।

ପ୍ରଶ୍ନକାଳରେ ଧାନମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ କରି ସୁବାସ ଗୃହର ମଧ୍ୟଭାଗକୁ ଆସି ବସି ରହିଥିଲେ। ପରେ ଶୂନ୍ୟକାଳରେ ତାଙ୍କୁ ଏନେଇ କହିବାକୁ ଦିଆଯିବ ବୋଲି ବାଚସ୍ପତି କହିଥିଲେ। ଏଥିସହ ତାଙ୍କୁ ନିଜ ଆସନକୁ ଫେରିବାକୁ କହିଥିଲେ।

ଅପରପକ୍ଷେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ। ଦଳର ଅନ୍ୟ ବିଧାୟକମାନେ ମଧ୍ୟ ଧାରଣାରେ ବସିଥିଲେ। ଏନେଇ ୧୦ ମିନିଟ୍‌ ଯାଏ ଗୃହ ମୁଲତବୀ ରହିଥିଲା।

Share