ବିଜେଡି ବିଧାୟକଙ୍କ ଭାଇ ଭାଜପାର ଜିଲା ପରିଷଦ ପ୍ରାର୍ଥୀ

କେନ୍ଦୁଝର,  ୨୨।୧(ସ୍ବ.ପ୍ର.) କେନ୍ଦୁଝର ଜିଲା ପାଟଣା ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ବଡ଼ଭାଇ ସତ୍ୟବ୍ରତ ନାଏକ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପା ଟିକେଟରେ ଉକ୍ତ ନିର୍ବାଚନମଣ୍ଡଳୀର ୨୧ ନଂ. ଜୋନ୍‌ରୁ ନାମାଙ୍କନପତ୍ର ଦାଖଲ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ତାଙ୍କ ବାପା କାହ୍ନୁଚରଣ ନାଏକ ପାଟଣା ନିର୍ବାଚନମଣ୍ଡଳୀରୁ ୧୯୯୦ରେ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ବିଧାୟକ ଜଗନ୍ନାଥ ନାଏକ ଏହା ପୂର୍ବରୁ ପାଟଣା ବ୍ଲକ ଅଧ୍ୟକ୍ଷ ରହି ବହୁ ଜନକଲ୍ୟାଣ କାର୍ଯ୍ୟ କରି ନିଜର ପରିଚୟ ସୃଷ୍ଟି କରିଥିଲେ। ଜନ ସମର୍ଥନ ଓ ଲୋକଙ୍କ ପାଇଁ କିଛି କରିବାର ଅଭିଳାଷକୁ ଦେଖି ତାଙ୍କୁ ନିକଟରେ ଜିଲା ଯୋଜନା କମିଟି ସଭାପତି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି।
ନିଜ ନିର୍ବାଚନମଣ୍ଡଳୀର ଏକ ଜୋନ୍‌ରେ ତାଙ୍କ ଭାଇ ଠିଆ ହୋଇଥିବାରୁ ଉକ୍ତ ଜୋନ୍‌ରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ମତପ୍ରକାଶ ପାଉଛି। ସତ୍ୟବ୍ରତ କଂଗ୍ରେସରୁ ଭାଜପାକୁ ୨୦୧୯ରେ ଆସିବା ପରେ ପାଟଣା ନିର୍ବାଚନମଣ୍ଡଳୀରୁ ନିଜ ଭାଇଙ୍କ ବିପକ୍ଷରେ ଭାଜପା ଟିକେଟ ପାଇଁ ଆଶା ରଖିଥିଲେ। କିନ୍ତୁ ଭାଜପା ଟିକେଟ ଦେଇ ନ ଥିଲା। ସେ ପୂର୍ବରୁ କଂଗ୍ରେସ ଟିକେଟରୁ ପାଟଣା ନିର୍ବାଚନ ମଣ୍ଡଳୀରେ ଲଢ଼ି ହାରିଯାଇଥିଲେ ହେଁ ଦୃଢ଼ ମନୋବଳ ଏବଂ ଲୋକଙ୍କ ସହ ସୁସମ୍ପର୍କ ଯୋଗୁ ଭାଜପାରେ ମିଶି ରାଜନୈତିକ ଅଙ୍କ କଷିବା ଆରମ୍ଭ କରିଛନ୍ତି। ତାଙ୍କ ଅଞ୍ଚଳରେ ଏବେ ବି ଲୋକେ ପାଣି, ବିଦ୍ୟୁତ୍‌ ଓ ଗମନାଗମନ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ଆବାସ ଯୋଜନାରେ ଘର ମଧ୍ୟ ସମସ୍ତେ ପାଇନାହାନ୍ତି। ଏଣୁ ଲୋକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ଆଶୀର୍ବାଦରେ ନିର୍ବାଚନ ଲଢ଼ିବାକୁ ଆଗେଇ ଆସିଛନ୍ତି। ଏନେଇ ଭାଇଙ୍କ ସହ କୌଣସି ଆଲୋଚନା କରି ନ ଥିବା ସତ୍ୟବ୍ରତ କହିଛନ୍ତି। ଅନ୍ୟପକ୍ଷେ ବିଧାୟକ ନାଏକ ତାଙ୍କ ପାଇଁ ଦଳ ଆଗ ଏବଂ ଦଳୀୟ ପ୍ରାର୍ଥୀଙ୍କ ବିଜୟ ଲାଗି ଉଦ୍ୟମ କରିବେ ବୋଲି କହିଛନ୍ତି।

Share