ଅମିରଙ୍କ ବିଫଳତାରେ ଖୁସି ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୨।୮: ବଲିଉଡ ସୁପରଷ୍ଟାର ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ମୁକ୍ତିଲାଭ କରିଛନ୍ତି। କିଛି ଦିନ ହେବ ଫିଲ୍ମକୁ ବଏକଟ ନେଇ ସୋସିଆଲ ମିଡିଆରେ ଏକ ଅଭିଯାନ ଚାଲିଛି। ଏହି ମଧ୍ୟରେ ଫିଲ୍ମର ଓପନିଂ ଅତ୍ୟନ୍ତ ଖରାପ ରହିଛି। ଯେଉଁମାନେ ବଏକଟ୍‌ ପାଇଁ ଦାବି କରୁଥିଲେ, ସେମାନେ ଫିଲ୍ମର ଓପନିଂ ବିଫଳତାରେ ଖୁସି ହୋଇଛନ୍ତି। ଏଥିରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଅଛନ୍ତି।
ଝାଡଖଣ୍ଡର ଗୋଡ୍ଡା ଏମ୍‌ପି ନିଶିକାନ୍ତ ଟୁଇଟ୍‌ କରି କହିଛନ୍ତି, ଭାରତୀୟ ନାଗରିକ ହୋଇଥିବାରୁ ନିଜକୁ ଭୟଭୀତ ଅନୁଭବ କରୁଥିବା ଅମିରଙ୍କ ଫିଲ୍ମ ‘ଲାଲ ସିଂ ଚଢା’କୁ ବଏକଟ୍‌ କରି ଦେଶପ୍ରେମୀମାନେ ଦର୍ଶାଇଛନ୍ତି ଯେ, ମିଥ୍ୟା ଏବଂ ପ୍ରତାରଣା ଆଉ କାମ କରିବ ନାହିଁ। ଦେଶ ଦୃଢତାର ସହ ମଜଭୁତ ନେତୃତ୍ୱ ନରେନ୍ଦ୍ର ମୋଦିଙ୍କ ସହ ବିଶ୍ୱକୁ ରାସ୍ତା ଦେଖାଉଛି।
ଅନ୍ୟ ଏକ ଟୁଇଟ୍‌ରେ ସେ ଅମିରଙ୍କ ଭାରତ ଏବଂ ଚାଇନା ବ୍ୟବସାୟର ପାର୍ଥକ୍ୟ ଉପରେ ପ୍ରଶ୍ନ ଉଠାଇ ଏହାର ତଦନ୍ତ ଦାବି କରିଛନ୍ତି। ଦୁବେ କହିଛନ୍ତି, ଅମିର ଖାନ ଫିଲ୍ମ ସିକ୍ରେଟ ସୁପରଷ୍ଟାର ଭାରତରେ ୬୦ କୋଟି, କିନ୍ତୁ ଚାଇନାରେ ୯୦୦ କୋଟି ରୋଜଗାର କରୁଥିବାବେଳେ ବାହୁବଳୀ ଭଳି ଫିଲ୍ମ ଭାରତରେ ୧୬୦୦ କୋଟି ରୋଜଗାର କରୁଛି କିନ୍ତୁ ଚାଇନାରେ ମାତ୍ର ୮୦ କୋଟି ଟଙ୍କା ରୋଜଗାର କରୁଛି। ଏନଆଇ, ଇଡି ଆମୀର ଖାନଙ୍କ ଅର୍ଥ ହେରଫେର ଘଟଣାର ଅନୁସନ୍ଧାନ କରିବା ଉଚିତ। ସେ ଟୁଇଟ୍‌ କରି ଇନକମ ଟ୍ୟାକ୍ସକୁ ମଧ୍ୟ ଟ୍ୟାଗ କରିଛନ୍ତି।

Share