Categories: ଜାତୀୟ

ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଭାଜପା ଏମ୍‌ପି : କଟିଲା ୪୧ ହଜାର ଟଙ୍କା ଚାଲାଣ

ନୂଆଦିଲ୍ଲୀ,୪।୮: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ମନୋଜ ତିୱାରୀ ଟ୍ରାଫିକ ନିୟମ ଭାଙ୍ଗିବା ମହଙ୍ଗା ପଡିଛି। ବିନା ହେଲମେଟରେ ବାଇକ ଚଳାଇବା ସମେତ ଅନ୍ୟ କେତେକ ନିୟମକୁ ଭାଙ୍ଗିବା ଅପରାଧରେ ଦିଲ୍ଲୀ ପୋଲିସ ତାଙ୍କ ନାଁରେ ୪୧ ହଜାର ଟଙ୍କା ଚାଲାଣ କାଟିଛି। ଏଥିମଧ୍ୟରେ ମନୋଜ ତିୱାରୀଙ୍କୁ ୨୧ ହଜାର ଟଙ୍କା ଏବଂ ଗାଡି ମାଲିକଙ୍କୁ ୨୦ ହଜାର ଟଙ୍କା ଜୋରିମନା କରାଯାଇଛି।
ବୁଧବାର ଭାଜପା ଏମ୍‌ପିମାନେ ଦିଲ୍ଲୀରେ ଏକ ତ୍ରିରଙ୍ଗା ବାଇକ ରାଲି କରିଥିଲେ। ଏହି ସମୟରେ ମନୋଜ ତିୱାରୀ ଏକ ଲାଲ ରଙ୍ଗର ବୁଲେଟ ଚଢି ରାଲିରେ ଯୋଗ ଦେଇଥିଲେ। ତାଙ୍କ ମୁଣ୍ଡରେ ଏକ ସାଫ୍ରନ ପଗଡି ଥିଲା। କିନ୍ତୁ ହେଲମେଟ ନ ଥିଲା। ତାଙ୍କର ଫଟୋ ଟିଭିରେ ଦେଖିବା ମାତ୍ରେ ବହୁ ସଂଖ୍ୟକ ଲୋକ ଟ୍ରାଫିକ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାର ଫଟୋ ଟୁଇଟ କରି ଲୋକମାନେ ଟ୍ରାଫିକ ପୋଲିସକୁ ତୀକ୍ଷ୍ଣ ପ୍ରଶ୍ନ ପଚାରି ମଧ୍ୟ ଥିଲେ। ଜଣେ ଏମ୍‌ପିଙ୍କ ପାଇଁ ଆଇନ ଅଲଗା କି? ସାଧାରଣ ଜନତାଙ୍କ ଚାଲାଣ କାଟୁଥିବା ପୋଲିସ ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ବୋଲି ମଧ୍ୟ ୟୁଜର୍ସ ପ୍ରଶ୍ନ ଉଠାଇଥିଲେ।
ଏହି ଘଟଣାକୁ ନେଇ ମନୋଜ ତିୱାରୀ ତାଙ୍କ ଭୁଲ ସ୍ବୀକାର କରିଥିଲେ ଏବଂ ଚାଣା ଦେବାକୁ ସେ ପ୍ରସ୍ତୁତ ବୋଲି କହିଥିଲେ। ଏହାସହ ସେ ସମସ୍ତଙ୍କୁ ଟ୍ରାଫିକ ନିୟମ ମାନିବାକୁ ନିବେଦନ କରିଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏମ୍‌ପି ମନୋଜ ତିୱାରୀଙ୍କ ତରଫରୁ ଟ୍ରାଫିକ ନିୟମ ପାଳନ ନ କରିବା ମାମଲାରେ ମୋଟ ୪୧ ହଜାର ଟଙ୍କା ଜମା କରାଯାଇଛି।

Share