‘ଭାରତରେ ଥିଲେ ମହୁଆ, ଦୁବାଇରେ ଲଗଇନ୍ ହୋଇଥିଲା ପାର୍ଲିଆମେଣ୍ଟ ଆଇଡି’: ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ(ଟିଏମସି) ଏମପି ମହୁଆ ମୋଇତ୍ରା ଏବଂ ଭାଜପା ଏମପି ନିଶିକାନ୍ତଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ସଂସଦରେ ମହୁଆ ପ୍ରଶ୍ନ କରିବା ପାଇଁ ଟଙ୍କା ନେଉଥିବା ଅଭିଯୋଗ ଲଗାଇବା ପରେ ଏବେ ନିଶିକାନ୍ତ ମହୁଆଙ୍କ ଉପରେ ଆହୁରି ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ନିଶିକାନ୍ତ କହିଛନ୍ତି ଯେ, ମହୁଆ ଭାରତରେ ଥିଲେ କିନ୍ତୁ ଦୁବାଇରେ ତାଙ୍କର ପାର୍ଲିଆମେଣ୍ଟ ଆଇଡି ଲଗଇନ୍ ହୋଇଥିଲା। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ନ୍ୟାସନାଲ ଏନ୍ଫୋର୍ସମେଣ୍ଟ ସେଣ୍ଟର(ଏନଆଇସି) ଏହି ସୂଚନା ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ଦେଇଛନ୍ତି।

ସାମାଜିକ ଗଣମାଧ୍ୟମ ଏକ୍ସ(ଟୁଇଟର)ରେ ନିଶିକାନ୍ତ ଲେଖିଛନ୍ତି, ‘ମହୁଆ ସାମାନ୍ୟ କିଛି ଟଙ୍କା ପାଇଁ ଦେଶର ସୁରକ୍ଷାକୁ ବାଜିରେ ଲଗାଇ ଦେଇଛନ୍ତି। ଏହି ଏନଆଇସିରେ ସମ୍ପୂର୍ଣ୍ଣ ଭାରତ ସରକାର ରହିଛନ୍ତି। ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରାଳାୟ କେନ୍ଦ୍ରୀୟ ଏଜେନ୍ସି ଗୁଡିକ ମ,ମଧ୍ୟ ରହିଛନ୍ତି। ଏହାପରେ ଯଦି ଟିଏମସି ଏହାକୁ ନେଇ ରାଜନୀତି କରିବାକୁ ଚାହୁଁଛି, ତେବେ ଏହାର ଜବାବ ଦେଶର ଜନତା ଦେବେ।’ ତେବେ ନିଶିକାନ୍ତ ତାଙ୍କର ଏହି ପୋଷ୍ଟରେ ମହୁଆଙ୍କ ନାମ ନେଇ ନଥିଲେ।

ଏହା ପୂର୍ବରୁ ନିଶିକାନ୍ତ ଦୁବେ ଦାବି କରିଥିଲେ କି ମହୁଆ ଟଙ୍କା ନେଇ ପାର୍ଲିଆମେଣ୍ଟରେ ଗୌତମ ଆଦାନି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରଶ୍ନ କରି ସେମାନଙ୍କୁ ବଦନାମ କରିବାକୁ ଚାହୁଁଥିଲେ। ତେବେ ଏହି ମାମଲାକୁ ପାର୍ଲିଆମେଣ୍ଟ ଏଥିକ୍ସ କମିଟି ବର୍ତ୍ତମାନ ଯାଞ୍ଚ କରୁଛନ୍ତି। ନିଶିକାନ୍ତ ଦୁବେଙ୍କୁ ଅକ୍ଟୋବର 26 ତାରିଖରେ ହାଜର ହେବାକୁ ମଧ୍ୟ କୁହାଯାଇଛି।

 

 

Share