ଘୋଡ଼ାଚଢି ନିର୍ବାଚନ ପ୍ରଚାରରେ ବାହାରିଲେ ଭାଜପା ନେତା

ଇନ୍ଦୋର,୧୯।୭: ମଧ୍ୟପ୍ରଦେଶର ସାନଓ୍ବର ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ଏଠାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି। କଂଗ୍ରେସ ଘର ଘର ବୁଲି ପ୍ରଚାର କରୁଥିବା ବେଳେ ଭାଜପା ବି କିଛି କମ୍‌ ପ୍ରଚାର କରୁନାହିଁ। ରବିବାର ଭାଜପାର ଜଣେ ଏମ୍‌ପି ଓ ଅନ୍ୟ ଜଣେ ନେତା ଘୋଡ଼ା ଚଢି ନିର୍ବାଚନ ପ୍ରଚାରରେ ବାହାରି ଥିବା ଦେଖାଯାଇଛି। ଆଉ ଏହାକୁ ଦେଖିବା ପରେ ଲୋକେ ଏକ ପ୍ରକାର ଜିଭ କାମୁଡି ପକାଇଛନ୍ତି। ସୂଚନାଯୋଗ୍ୟ, ରବିବାର ଖଜୁରିଆ ଗାଁରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଆଉ ଏଥିରେ ଯୋଗ ଦେବା ଲାଗି ଭାଜପାର ଜିଲା ଅଧ୍ୟକ୍ଷ ଓ ଏମ୍‌ପି ଭିନ୍ନ ଢଙ୍ଗରେ ସେଠାରେ ପହଞ୍ଚିଥିଲେ। ଜିଲାଧ୍ୟକ୍ଷ ବର ବେଶରେ ଘୋଡା ଚଢି ଯାଉଥିବା ବେଳେ ଏମ୍‌ପି ମଧ୍ୟ ଘୋଡ଼ାରେ ବସି ସେଠାରେ ପହଞ୍ଚିଥିଲେ। ଇନ୍ଦୋର ଜିଲାର ସାନଓ୍ବର ବିଧାନସଭା ଆସନ ଲାଗି ମନ୍ତ୍ରୀ ତୁଳସି ସିଲାଓ୍ବଟଙ୍କ ପାଇଁ ଭୋଟ ମାଗିବାକୁ ଏମାନେ ସେଠାରେ ପହଞ୍ଚିଥିଲେ ବୋଲି ଜଣାପଡିଛି। ଏହି ସମୟର ଦୃଶ୍ୟକୁ ଭାଜପା ଫେସବୁକ ଜରିଆରେ ଲାଇଭ୍‌ କରିଥିବା ଦେଖାଯାଇଥିଲା। ଏହାକୁ ଦେଖି କଂଗ୍ରେସ କହିଛି ଏବେ ସରକାର ଳଢୁଛନ୍ତି ନିର୍ବାଚନ ପାଇଁ ହେଲେ ସାଧାରଣ ଜନତା ଲଢୁଛନ୍ତି କରୋନା ସହ। ଭାଜପାକୁ କେବଳ ଶାସନ କ୍ଷମତାର ଲୋଭ ଦୃଶ୍ୟ ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

Share