Categories: ଜାତୀୟ

ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ,୧୮।୨: ପ୍ରାୟ ସମୟରେ ନିଜ ଦଳ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହୁଥିବା ଭାଜପା ଏମ୍‌ପି ବରୁଣ ଗାନ୍ଧୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଶୁକ୍ରବାର ବରୁଣ ବ୍ୟାଙ୍କ ଦୁର୍ନୀତି ଏବଂ ଆର୍ଥିକ ଅପରାଧିଙ୍କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଋଣ ଜାଲିଆତି କରିଥିବା ବିଜୟ ମାଲ୍ୟା, ନୀରବ ମୋଦି ଓ ଋଷି ଅଗ୍ରୱାଲଙ୍କ ଭଳି ବ୍ୟବସାୟୀଙ୍କ ନାମ ନେଇ ସେ ସରକାରଙ୍କ ଉପରେ ବର୍ଷିଛନ୍ତି। ବରୁଣ କେନ୍ଦ୍ରକୁ କଟାକ୍ଷ କରି କହିଛନ୍ତି, ଗୋଟିଏ ଶକ୍ତିଶାଳୀ ସରକାର ଏଭଳି ବଡ଼ ବ୍ୟକ୍ତିଙ୍କ ବିରୋଧରେ କେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସମସ୍ତେ ଆଶା କରିଛନ୍ତି। କେବଳ ସେତିକି ନୁହେଁ ସେ ଟୁଇଟ କରି ଲେଖିଛନ୍ତି, ବିଜୟ ମାଲ୍ୟା ୯ ହଜାର କୋଟି ଓ ନୀରବ ମୋଦି ପ୍ରାୟ ୧୪ ହଜାର କୋଟି ଟଙ୍କାର ଜାଲିଆତି କରି ବିଦେଶ ଫେରାର ହୋଇଯାଇଛନ୍ତି। ସେହିପରି ଋଷି ଅଗ୍ରୱାଲ ପ୍ରାୟ ୨୩ ହଜାର କୋଟିର ଋଣ ହେରଫେର କରିଛନ୍ତି। ଆଜି ଯେତେବେଳେ ଋଣ ବୋଝ ଚାପରେ ଦେଶରେ ଦୈନିକ ପ୍ରାୟ ୧୪ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି, ସେତେବେଳେ ମୋଟା ଅଙ୍କର ଟଙ୍କା ଋଣ ନେଇ କିଛି ଲୋକ ବିଳାସମୟ ଜୀବନଯାପନ କରୁଛନ୍ତି। ଏହି ମହାଭ୍ରଷ୍ଟ ବ୍ୟବସ୍ଥା ବିରୋଧରେ ଗୋଟିଏ ମଜବୁତ ସରକାର ମଜବୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଅପେକ୍ଷା କରାଯାଇଛି ବୋଲି ବରୁଣ କହିଛନ୍ତି। ସୂଚନା ମୁତାବକ ପୂର୍ବରୁ ବି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସମର୍ଥନରେ ବରୁଣ ଗାନ୍ଧି ବାହାରି ଚର୍ଚ୍ଚାରେ ରହିଥିଲେ। ଏଥିସହ ଚାଷୀଙ୍କ ଉପରେ ଗାଡ଼ ମଡ଼ାଇବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ସ୍ବର ଉତ୍ତୋଳନ କରିଥିଲେ।

Share