Categories: ଜାତୀୟ

ଜୁଲାଇ ୧୬ରେ ଭାଜପା ଏମ୍‌ପିଙ୍କ ରାତ୍ରିଭୋଜନ…

ନୂଆଦିଲ୍ଲୀ, ୧୩।୭ : ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଭାଜପା ବର୍ତ୍ତମାନ ଶେଷ ରାଉଣ୍ଡ ପ୍ରସ୍ତୁତି ଉପରେ ଧ୍ୟାନ ଦେଉଛି। ଏଥିପାଇଁ ସମସ୍ତ ଭାଜପା ଏମ୍‌ପିଙ୍କୁ ଜୁଲାଇ ୧୬ରେ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାନ୍ତ୍ରୀ ରାଜନାଥ ସିଂ ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନେପି ନଡ୍ଡା ପ୍ରମୁଖ ଉପସ୍ଥିତ ରହିବେ।

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସମସ୍ତଏମ୍‌ପିଙ୍କୁ ଶନିବାର ଅପରାହ୍ନ ୫ଟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂସଦ ଗୃହର ଜିଏମସି ବାଲାୟୋଗୀ ଅଡିଟୋରିୟମରେ ୧୬ ଜୁଲାଇ ସନ୍ଧ୍ୟା ସାଢ଼େ ୬ରେ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଷ୍ଟ୍ରପତି ନିର୍ବାଚନରେ ମତଦାନ ସମ୍ପର୍କରେ ସୂଚନା ଦିଆଯିବ। ଭୋଟରେ କିପରି ଦିଆଯିବ, ବାଲାଟ ପେପରରେ ଦ୍ରୌପଦୀ ମୁର୍ମୁଙ୍କ ନାମ ଆଗରେ କିପରି ପ୍ରଥମ ପ୍ରାଥମିକତା ଦିଆଯିବ ତାହା ବୈଠକରେ ତାଲିମ ପ୍ରଦାନ କରାଯିବ। ଏହାପରେ ଜୁଲାଇ ୧୭ ରବିବାର ଅପରାହ୍ନ ୩ଟାରେ ସେହି ସ୍ଥାନରେ ଏନଡିଏର ବୈଠକ ଡକାଯାଇଛି।

ଏଥିରେ ଏନଡିଏର ସମସ୍ତ ଏମ୍‌ପି ଓ ମନ୍ତ୍ରୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ଏହା ପଛରେ ରଣନୀତି ହେଉଛି ସମସ୍ତ ଭାଜପା ଏବଂ ସହଯୋଗୀ ଦଳର ଏମ୍‌ପି ଶତପ୍ରତିଶତ ଭୋଟ ହେବା ଆବଶ୍ୟକ। ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ ରେ ରହିଛି। ଏହା ସହିତ ସେହିଦିନଠାରୁ ସଂସଦର ମୌସୁମୀ ଅଧିବେଶନ ମଧ୍ୟ ଆରମ୍ଭ ହେଉଛି।

Share