Categories: ଜାତୀୟ

ଦୀର୍ଘ ୧୮ ପରେ ତେଲେଙ୍ଗାନାରେ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ: ପ୍ରଧାନମନ୍ତ୍ରୀ ମୋଦି ହେବେ ସାମିଲ

ହାଇଦ୍ରାବାଦ,୨।୭: ଚଳିତ ଥର ହାଇଦ୍ରାବାଦରେ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହେଉଛି। ହାଇଦ୍ରାବାଦର ନୋଭାଟେଲ କନ୍‌ଭେନସନ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଶନିବାରଠାରୁ ଆରମ୍ଭ ହୋଇ ରବିବାର ଅର୍ଥାତ୍‌ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ବୈଠକ ଆରମ୍ଭ କରିବେ ବୋଲି ଭାଜପା ମୁଖପାତ୍ର ଏନ୍‌.ଭି ସୁଭାଷ କହିଛନ୍ତି। ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀ ଅଧିବେଶନ ପରେ ଏକ ବିଶାଳ ରାଲିର ଆୟୋଜନ ହେବ। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ। ଏହି ରାଲି ଜୁଲାଇ ୩ରେ ସନ୍ଧ୍ୟା ସାଢ଼େ ୬ଟାରେ ପ୍ୟାରେଡ ଗ୍ରାଉଣ୍ଡରେ ହେବ। ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦି ଶନିବାର ବେଗମ୍ପେଟରେ ପହଞ୍ଚିବେ। ଯେଉଁଠାରେ ତାଙ୍କର ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତି କରାଯାଇଛି। ଦୀର୍ଘ ୧୮ ବର୍ଷ ପରେ ହାଇଦ୍ରାବାଦରେ ଏହି ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହେଉଛି। ଏହା ଏକ ବଡ କାର୍ଯ୍ୟକ୍ରମ, ଯେଉଁଥିପାଇଁ ସମସ୍ତଙ୍କୁ ଦାୟିତ୍ୱ ଦିଆଯାଇଛି। ସମସ୍ତେ ନିଜ କାର୍ଯ୍ୟରେ ଆନ୍ତରିକତାର ସହ ଜଡିତ ଅଛନ୍ତି, ଯାହା ଦ୍ୱାରା କାର୍ଯ୍ୟକ୍ରମଟି କୌଣସି ବାଧା ବିନା ସମାପ୍ତ ହୋଇପାରିବ ବୋଲି ଭାଜପା ମୁଖପାତ୍ର କହିଛନ୍ତି।
କୁହାଯାଉଛି, କାର୍ଯ୍ୟକାରିଣୀ ବୈଠକରେ ଆସନ୍ତା ବର୍ଷ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବ୍ୟତୀତ ୨୦୨୪ରେ ପ୍ରସ୍ତାବିତ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ ହେବ। ୨୦୧୪ରେ କେନ୍ଦ୍ର କ୍ଷମତାକୁ ଆସିବା ପରେ ଦକ୍ଷିଣ ଭାରତୀୟ ରାଜ୍ୟରେ ଏହା ଭାଜପାର ତୃତୀୟ ବୈଠକ ଅନୁଷ୍ଠିତ ହେବ।

Share