Categories: ଜାତୀୟ

୪ ରାଜ୍ୟ ଲାଗି ଭାଜପା ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ,୧୪।୩: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଭାଜପା ସରକାର ଗଢ଼ିବାକୁ ଯାଉଥିବାବେଳେ ନବନିର୍ବାଚିତ ବିଧାୟକ ଦଳ ନେତା ବାଛିବା ଲାଗି ସୋମବାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଗୈରିକ ଦଳର ସଂସଦୀୟ ବୋର୍ଡ ପକ୍ଷରୁ ଏ ସମ୍ପର୍କିତ ତାଲିକା ପ୍ରକାଶ ପାଇଛି। ଉତ୍ତରପ୍ରଦେଶ ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବାବେଳେ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ସହଯୋଗ କରିବେ। ଉତ୍ତରପ୍ରଦେଶରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଯୋଗୀ ଆଦିତ୍ୟନାଥ ରବିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟିଥିଲେ।

ସେହିପରି ଉତ୍ତରାଖଣ୍ଡରେ ବିଧାୟକ ଦଳ ନେତା ନିର୍ବାଚନ କାର୍ଯ୍ୟର ଅନୁଧ୍ୟାନ ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ମୀନାକ୍ଷୀ ଲେଖିଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଗୋଆରେ ସରକାର ଗଠନ ପ୍ରକ୍ରିୟାର ଅନୁଧ୍ୟାନ ପାଇଁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଏଲ୍‌. ମୁରୁଗାନ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଭାଜପା ୨୦ ଆସନରେ ବିଜୟୀ ହୋଇଥିବାବେଳେ ଏହାକୁ ମହାରାଷ୍ଟ୍ର ଗୋମନ୍ତକ ପାର୍ଟି (ଏମ୍‌ଜିପି) ଏବଂ ସ୍ବାଧୀନ ବିଧାୟକ ସମର୍ଥନ ଦେଇଛନ୍ତି। ସେହିପରି ମଣିପୁରରେ ଭାଜପା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ଆଇନମନ୍ତ୍ରୀ କିରେନ ରିଜିଜୁଙ୍କୁ ବିଧାୟକ ଦଳ ନେତା ନିର୍ବାଚନ ଦାୟିତ୍ୱ ଦିଆଯାଇଛି।

Share