Categories: ଜାତୀୟ

ମିଶନ ୨୪କୁ ନେଇ କଂଗ୍ରେସକୁ ଭାଜପାର ଚେକ ମେଟ୍‌!

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କଲାଣି ଭାଜପା। ୨୪ ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜ୍ୟର ଏନଡିଏ ମେଣ୍ଟକୁ ସୂଦୃଢ କରିବା ପାଇଁ ବଳ ଗୋଟାଉଛି ଭାଜପା। ସେପଟେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କର ନିର୍ବାଚନ ତାରିଖ ଘୋଷଣା ହେବ ପୂର୍ବରୁ ଭାଜପା ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ତେବେ ଦେଶରେ ଏହି ରଣନୀତି ପ୍ରଥମେ ବହୁଜନ ସମାଜ ପାର୍ଟି (ବିଏସପି) ଆରମ୍ଭ କରିଥିଲା। ନିର୍ବାଚନର ପ୍ରାୟ ଏକ ବର୍ଷ ପୂର୍ବରୁ ବିଏସପି ନିଜର ପ୍ରାର୍ଥୀ ଘୋଷଣା କରି ସେମାନଙ୍କୁ ମଇଦାନକୁ ଓହ୍ଲାଇଥିଲା। ତେବେ ବର୍ତ୍ତମାନ ଭାଜପାର ଏହି ଚେକ୍‌ ମେଟ୍‌ରେ ଅଡୁଆରେ ପଡିଛି କଂଗ୍ରେସ।

ଜାତୀୟ ରାଜନୀତିରେ ଚର୍ଚ୍ଚା ହେଉଥିଲା କି, ଭାଜପା ପୂର୍ବରୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିବ, କିନ୍ତୁ କଂଗ୍ରେସକୁ ଏଥିରେ ବାଜିମାତ ଦେଇଛି ଭାଜପା। ବର୍ତ୍ତମାନ ଭାଜପା ଦୁଇ ରାଜ୍ୟରେ ଆଗୁଆ ନିଜ ଯୋଦ୍ଧାଙ୍କୁ ଟିକେଟ ବାଣ୍ଟି ସାରିଥିବାବେଳେ କଂଗ୍ରେସ ଶିବିରରେ ମଧ୍ୟ ଏନେଇ ଆଲୋଚନା ଆରମ୍ଭ ହୋଇଗଲାଣି।  ଆଶା କରାଯାଉଛି ଯେ ଖୁବ ଶୀଘ୍ର କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥୀ ଘୋଷଣା କରିବ। ତେବେ ଏନେଇ କଂଗ୍ରେସ ନେତାମାନେ କହିଛନ୍ତି , ଭାଜପା ପରେ ସେମାନଙ୍କ ପ୍ରାର୍ଥୀ ଘୋଷଣା ହେଲେ ମଧ୍ୟ ସେମାନେ ଭାଜପା ଅପେକ୍ଷା ଅଧିକ ଶକ୍ତିଶାଳୀ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବେ।

Share