Categories: ଜାତୀୟ

ମେ’୨୦-୨୧ରେ ପଞ୍ଚତାରକା ହୋଟେଲରେ ଭାଜପାର ବୈଠକ…

ଜୟପୁର, ୧୮।୫ : ଚଳିତ ୨୦୨୨ ତଥା ଆସନ୍ତା ୨୦୨୩ ବର୍ଷରେ ଦେଶର ୧୧ ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିିରେ ରଖି କଂଗ୍ରେସ ପକ୍ଷରୁ ରାଜସ୍ଥାନର ଉଦୟପୁରରେ ୩ ଦିନିଆ ଚିନ୍ତନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏବେ ଭାଜପା ପକ୍ଷରୁ ଜୟପୁରର ଏକ ପଞ୍ଚ ତାରଖା ହୋଟେଲରେ ବିଧାନସଭା ନିର୍ବାଚନ ପୂର୍ବରୁ ସଂଗଠନକୁ ମଜବୁତ କରିବା ପାଇଁଏକ ବୈଠକ ମେ’୨୦-୨୧ରେ ଆୟୋଜନ କରାଯାଉଛି ଏଥିରେ ଭାଜପାର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ବୈଠକକୁ ସମ୍ବୋଧିତ କରିବେ ଏବଂ ସଂଗଠନକୁ ମଜବୁତ କରିବା ପାଇଁ କର୍ମୀଙ୍କୁ ମନ୍ତ୍ର ଦେବେ।

ଚଳିତ ବର୍ଷ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥି ସହିତ ଆସନ୍ତା ବର୍ଷ ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା, ତ୍ରିପୁରା, ମଧ୍ୟପ୍ରଦେଶ, କର୍ନାଟକ, ମେଘାଳୟ, ମିଜୋରାମ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ଭାଜପା ଏକ ନିର୍ବାଚନୀ ବାର୍ତ୍ତା ଦେବାକୁ ଚାହୁଁଛି ଯାହା ଦ୍ୱାରା ଦଳର ଅଧିକାରୀ ଏବଂ କର୍ମୀମାନେ ଉତ୍ସାହର ସହିତ କାମ କରିପାରିବେ।

ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭାଜପାର ୨ ଦିନିଆ ଜାତୀୟ ବୈଠକରେ ଯୋଗଦେବା ପାଇଁ ମେ ୧୯ରେ ଜୟପୁର ଆସିବାର କାର୍ଯ୍ୟକ୍ରମ ରହିଛି। ବିମାନ ବନ୍ଦରରୁ ବୈଠକ ହେଉଥିବା କୁକସ ସ୍ଥିତ ହୋଟେଲ ପର୍ଯ୍ୟନ୍ତ ୨୧ ହଜାର ଭାଜପାର ଦଳୀୟ ପତାକା ଲଗାଯିବ।

ବୈଠକରେ ଉପାଧ୍ୟକ୍ଷ, ମହା ସଚିବ, ସଚିବ, ରାଜ୍ୟ ସଭାପତି-ସଂଗଠନର ସାଧାରଣ ସମ୍ପାଦକ, ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଷ୍ଟ୍ରୀୟ ମୋର୍ଚ୍ଚା ଅଧ୍ୟକ୍ଷଙ୍କ ସମେତ ୧୩୫ ପଦାଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share