ଭଣ୍ଡାରିପୋଖରୀରେ ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ; ପ୍ରାର୍ଥୀ ଘୋଷଣାରେ ବିଳମ୍ବ ପଛରେ ପକାଇଲା

ଭଦ୍ରକ,୧୦ା୬(ସନାତନ ରାଉତ): ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି। ସାରା ଓଡ଼ିଶାରେ ପରିବର୍ତ୍ତନ ହୋଇଥିବା ବେଳେ ଭଣ୍ଡାରିପୋଖରୀରେ ଭାଜପା ତୃତୀୟ ସ୍ଥାନକୁ ଖସିବା ସହ ୨୦୧୯ ନିର୍ବାଚନ ଅପେକ୍ଷା କମ୍‌ ଭୋଟ ପାଇଛି। ଏହି ନିର୍ବାଚନମଣ୍ଡଳୀ ପାଇଁ ଭାଜପାର ପ୍ରାର୍ଥୀ ଘୋଷଣାରେ ଅହେତୁକ ବିଳମ୍ବ ଯୋଗୁ ଏପରି ସ୍ଥିତି ହୋଇଥିବା ଚର୍ଚ୍ଚା ହେଉଛି। ଜିଲାର ଭଦ୍ରକ ଓ ଧାମନଗରରେ ଭାଜପା ବିଜୟ ହାସଲ କରିଥିବା ବେଳେ ଚାନ୍ଦବାଲିରେ ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ହୋଇଛି। କିନ୍ତୁ ବାସୁଦେବପୁର ଓ ଭଣ୍ଡାରିପୋଖରୀ ଆସନରେ ଦଳ ତୃତୀୟ ସ୍ଥାନରେ ରହିଛି।

୨୦୧୯ ନିର୍ବାଚନରେ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ଲଢ଼ି ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ୭୦,୧୮୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ୬୧,୩୨୧ ଭୋଟ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ବଦ୍ରିନାରାୟଣ ଧଳ ୩୯,୧୪୧ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିଲେ। ଏଥର ବିଜେଡି ନେତା ସୁଧାଂଶୁ ନାୟକ ଭାଜପାରେ ସାମିଲ ହୋଇଥିବାରୁ ବଦ୍ରିନାରାୟଣଙ୍କ ସ୍ଥାନରେ ସୁଧାଂଶୁଙ୍କୁ ଦଳୀୟ ଟିକେଟ ମିଳିଥିଲା। ବନ୍ତରେ ସୁଧାଂଶୁଙ୍କ ସ୍ତ୍ରୀ ରେବତୀ ନାୟକ ଦୁଇଥର ବ୍ଲକ ଅଧ୍ୟକ୍ଷା ରହିଥିବା ବେଳେ ବ୍ଲକର ବିଜେଡି ସଙ୍ଗଠନ ତାଙ୍କ ଅକ୍ତିଆରରେ ରହିଥିଲା। ସେ ଭାଜପାରେ ସାମିଲ ହେବା ପରେ ବ୍ଲକର ପ୍ରତି ପଞ୍ଚାୟତରେ ତାଙ୍କର ନିଜସ୍ବ ସଙ୍ଗଠନ ରହିଛି ବୋଲି ଚର୍ଚ୍ଚା ହେଉଥିଲା।

ସୁଧାଂଶୁଙ୍କ ସହ ଅଧିକାଂଶ ପଞ୍ଚାୟତର ବିଜେଡିର ଆଗଧାଡ଼ିର କର୍ମୀଙ୍କ ସହ ପରୋକ୍ଷରେ ଯୋଗାଯୋଗ ରହିଥିବାରୁ ସେମାନେ ଭାଜପାରେ ସାମିଲ ହେବେ ବୋଲି ଆଶା କରାଯାଇଥିଲା। କିନ୍ତୁ ଦଳୀୟ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କାରଣରୁ ଏହି ଆକଳନ ଭୁଲ୍‌ ପ୍ରମାଣିତ ହୋଇଥିଲା। ଏଥର ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଦଳ କରି ପ୍ରଫୁଲ୍ଲଙ୍କ ସ୍ଥାନରେ ଭଦ୍ରକର ପୂର୍ବତନ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସର ପ୍ରାର୍ଥୀ ଅପରିବର୍ତ୍ତିତ ରହିଥିଲା। ସଞ୍ଜୀବଙ୍କୁ ୭୨,୪୪୭ ଖଣ୍ଡ ଭୋଟ ଓ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନଙ୍କୁ ୭୦,୮୯୬ ଭୋଟ ମିଳିଥିଲା। ଭାଜପା ପ୍ରାର୍ଥୀ ସୁଧାଂଶୁ ୩୮,୯୫୨ ଖଣ୍ଡ ଭୋଟ ପାଇଥିଲେ। ଗତ ନିର୍ବାଚନ ଅପେକ୍ଷା ବିଜେଡି ଓ କଂଗ୍ରେସର ଭୋଟ ବଢ଼ିଥିବା ବେଳେ ଭାଜପାର ଭୋଟ ହାର କମିଯାଇଛି।