ଭାଜପାର ପ୍ଲାନ ବି, ଏହି ୯ ସିଟ୍‌ରେ କରିବ ଓଲଟପାଲଟ

ଭୁବନେଶ୍ୱର,୧୨।୪:ମୁଣ୍ଡ ଉପରେ ନିର୍ବାଚନ। ବିଜେଡି, ଭାଜପା ଓ କଂଗ୍ରେସ ଅଧାରୁ ଅଧିକ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଘୋଷଣା ପରେ ପ୍ରାର୍ଥୀ ମଧ୍ୟ ମଇଦାନକୁ ଓହ୍ଲାଇ ପ୍ରଚାର ପାଇଁ ରଣ ହୁଙ୍କାର ଦେଲେଣି। ଓଡିଶାରେ ମେ’ ୧୩ରୁ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଭାଜପା ଏଯାଏଁ ପ୍ରଥମ ପର୍ଯ୍ୟାୟ ପାଇଁ ୯ଟି ସିଟରେ ପ୍ରାର୍ଥୀ ଘୋଷଣା କରିନି। ଏନେଇ ଦଳର ଆଶାୟୀ ମଧ୍ୟ ଅପେକ୍ଷା କରିଥିବାବେଳେ ଦିନକୁ ଦିନ ପ୍ରାର୍ଥୀ ଘୋଷଣା କରିବାକୁ ବିଳମ୍ବ କରୁଛି ଦଳ। ହେଲେ ଏହା ପଛରେ ଭାଜପାର କିଛି ସ୍ବତନ୍ତ୍ର ରଣନୀତି ରହିଛି କି? ଚର୍ଚ୍ଚା ହେଉଛି, ଅନ୍ୟ ଦଳ ଉପରେ ନଜର ରଖି ଯୋଜନା କରୁଛି ଭାଜପା ।

ପ୍ରଥମ ପର୍ଯ୍ୟାୟରେ ୯ ଆସନ ପାଇଁ ଏବେ ବି ବାକି ଅଛି ଭାଜପାର ପ୍ରାର୍ଥୀ ଘୋଷଣା। ତେବେ କ’ଣ ନୂଆ ରଣନୀତି ପ୍ରସ୍ତୁତ କରୁଛି ଦଳ। ଶାସକ ଓ ସମ୍ଭାବ୍ୟ କଂଗ୍ରେସ ପ୍ରାର୍ଥୀଙ୍କୁ ନଜରରେ ରଖି ତିଆରି କରୁଛି ରଣନୀତ?

ମୁଣ୍ଡ ଉପରେ ଭୋଟ, ହେଲେ ଏଯାଏଁ ପ୍ରଥମ ପର୍ଯ୍ୟାୟ କାର୍ଡ ଖୋଲିନି ଭାଜପା। ଓଡ଼ିଶାରେ ପ୍ରଥମ ଦଫା ଭୋଟ ପଡିବ ମେ ୧୩ ତାରିଖରେ। ଏନେଇ ଏପ୍ରିଲ ୧୮ରେ ବିଜ୍ଞପ୍ତି ଏବଂ ୨୫ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ ।
ଭୋଟକୁ ମାତ୍ର ଗୋଟିଏ ମାସଥିବାବେଳେ ପ୍ରଚାର ପାଇଁ ମଧ୍ୟ କମ ସମୟ ରହିଛି। ହେଲେ ଏବେ ବି ଭାଜପା ୩୫ଟି ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ। ଆଉ ୩୫ ସିଟ ମଧ୍ୟରୁ ୯ଟି ଆସନ ମାନେ ଝରିଗାଁ, ଡାବୁଗାଁ, କୋଟପାଡ, ଚିତ୍ରକୋଣ୍ଡା, ବିଷମ କଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର ଓ ମୋହନାରେ ମେ ୧୩ରେ ଭୋଟ ପଡିବ। ତେବେ ଏସବୁ ଆସନ ପାଇଁ ଦଳ ବଡ଼ ରଣନୀତି କରୁଥିବା ଚର୍ଚ୍ଚା ହେଉଛି। ଅନ୍ୟ ଦଳର ପ୍ରାର୍ଥୀଙ୍କୁ ପ୍ରଭାବିତ କରିପାରୁଥିବା ଭଳି ନେତାଙ୍କ ଉପରେ ନଜର ରଖୁଥିବା କୁହାଯାଉଛି । ତେଣୁ ଟିକେଟ ଘୋଷଣାରେ ବିଳମ୍ବ ବୋଲି ଚର୍ଚ୍ଚା ବିଛି। ସେପଟେ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି ୨୦ ତାରିଖ ସୁଦ୍ଧା ସବୁ ଆସନର ପ୍ରାର୍ଥୀ ଘୋଷଣା କରିବ ଦଳ ।

ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି କୈଳାସ କୂଳସେକା। ଯାହାଙ୍କର ଲକ୍ଷ୍ମୀପୁରରେ ବଡ଼ ଭୋଟ ବ୍ୟାଙ୍କ ରହିଛି । ତେଣୁ ସେଠାରେ ଦୁର୍ବଳ ଭାଜପା ସଂଗଠନକୁ ସୁଦୃଢ଼ କରିବା ପାଇଁ କୈଳାସଙ୍କୁ ଦଳରେ ସାମିଲ କରିଛି ଭାଜପା। ଏଥିସହ ଅନ୍ୟ ୮ ଆସନରେ ଭାଜପା ମଧ୍ୟ କିଛି ନୂଆ ରଣନୀତି କରୁଛି।

Share