Categories: ଜାତୀୟ

ନୋଟିସ୍‌ର ଜବାବ ପରେ ସାଧ୍ୱୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଅମିତ ଶାହା

ନୂଆଦିଲ୍ଲୀ,୧୭।୫: ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅମିତ ଶାହା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୋଡସେ-ଗାନ୍ଧୀଙ୍କ ବୟାନ ଦେଇଥିବା ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଅନନ୍ତ କୁମାର ହେଗଡେ, ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ ନଳୀନ କଟିଲଙ୍କୁ ନୋଟିସ ଜାରି କରାଯାଇଛି। ଶାହା କହିଛନ୍ତି ଯେ, ଭାଜପାର ଏହି ନେତାମାନେ ସେମାନଙ୍କ ବୟାନ ଫେରାଇ ନେବା ସହ ଏଭଳି ଅପ୍ରୀତିକର ବୟାନ ଉପରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ସତ୍ୱେ ଭାଜପାର ଗରିମା ଓ ବିଚାରଧାରା ବିପରୀତ ବୟାନକୁ ଦଳ ଗମ୍ଭୀରତାର ସହ ନେଇଛି। ସାଧ୍ୱୀଙ୍କ ବୟାନ ବିରୋଧରେ ନିର୍ଣ୍ଣୟ ନେବା ପାଇଁ ବୟାନ ଗୁଡିକୁ ଦଳର ଅନୁଶାସନ ସମିତିକୁ ପଠାଇ ଦିଆଯାଇଛି। ଅନୁଶାସନ ସମିତି ୩ ନେତାଙ୍କୁ ଜବାବ ତଲବ କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦଳକୁ ଦେବ। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶାହା ସୂଚନା ଦେଇଛନ୍ତି ।

Share