Categories: ଜାତୀୟ

ଏନସିପିକୁ ଏନଡିଏରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ ବାଜପେୟୀ: ପ୍ରଫୁଲ୍ଲ ପଟେଲ…

ମୁମ୍ବାଇ,୧୭।୬ : ଏନସିପିର ନୂତନ ଭାବେ କାର୍ଯ୍ୟକାରୀ ସଭାପତି ତଥା ଏମପି ପ୍ରଫୁଲ୍ଲ ପଟେଲ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେ ଦାବି କରିଛନ୍ତି ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ କେନ୍ଦ୍ରରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ରେ ଯୋଗଦେବାକୁ ପ୍ରସ୍ତାବ ଦେଇଛନ୍ତି।

ଶନିବାର ତାଙ୍କର ଏକ ସାକ୍ଷାତକାରରେ ପ୍ରଫୁଲ୍ଲ ପଟେଲ କହିଛନ୍ତି ଶରଦ ପାୱାର ୧୯୯୯ ରେ କଂଗ୍ରେସରୁ ଅଲଗା ହୋଇଥିଲେ। ଯେତେବେଳେ ବାଜପେୟୀ ତାଙ୍କୁ ମହାରାଷ୍ଟ୍ରର ଶିବସେନା-ଭାଜପା ମେଣ୍ଟରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। ଯଦିଓ, ଆମେ କଂଗ୍ରେସ ବିରୋଧରେ ଲଢୁଥିଲୁ ଏବଂ ଭାବିଥିଲୁ ଆମେ ଏକକ ବୃହତ ଦଳ ହୋଇପାରିବୁ, କିନ୍ତୁ ପରିସ୍ଥିତି ଏତେ ଅନୁକୂଳ ନ ଥିଲା। ଆମର ଅଧିକାଂଶ ରାଜ୍ୟ ନେତା କଂଗ୍ରେସ ସହ ରହିବାକୁ ଚାହୁଁଥିଲେ ଥିଲେ। ତେଣୁ ଶରଦ ପାୱାରଙ୍କ ଏହି ନିଷ୍ପତ୍ତି କଂଗ୍ରେସକୁ ବହୁତ ସାହାଯ୍ୟ କରିଥିଲା। ଯେତେବେଳେ ଆମେ ଇତିହାସକୁ ଦେଖିଛୁ, ଆମେ ଭାବୁଛୁ ଯଦି ଆମେ କଂଗ୍ରେସ ସହିତ ହାତ ମିଳାଇ ନ ଥାନ୍ତୁ ତେବେ ଏହା ଆମ ପାଇଁ ଅଧିକ ଲାଭଦାୟକ ହୋଇଥାନ୍ତା। କିନ୍ତୁ ବର୍ତ୍ତମାନ ଆମେ ଆମର ସହଯୋଗୀମାନଙ୍କୁ ଆଘାତ କରିବାକୁ ଚାହୁଁନାହୁଁ ।

ସେ ସ୍ବୀକାର କରିଛନ୍ତି ଶରଦ ପାୱାର କିମ୍ବା ଆମ ମଧ୍ୟରୁ କେହି ଏହାକୁ ଖୋଲାଖୋଲି ଭାବେ କହିପାରନ୍ତି ନାହିଁ, କିନ୍ତୁ ଆମେ ସର୍ବଦା ଅନୁଭବ କରୁ କୌଣସି ପ୍ରକାରେ ମହାରାଷ୍ଟ୍ରରେ ସରକାର ଗଠନ କରିବାର ସାମର୍ଥ୍ୟ ଆମର ଅଛି। ନିଜ ଶକ୍ତିରେ ଆମେ ମମତା ବାନାର୍ଜୀ କିମ୍ବା ଜଗନ ମୋହନ ରେଡ୍ଡୀଙ୍କ ପରି ରାଜ୍ୟରେ ନିର୍ବାଚନ ଜିତିପାରିବୁ। ଏହାର କାରଣ ହେଉଛି ବର୍ତ୍ତମାନ ଆମେ ରାଜ୍ୟରେ ଶରଦ ପାୱାରଙ୍କ ପରି ଅନ୍ୟ କୌଣସି ଭେଟେରାନ ନେତାଙ୍କୁ ଦେଖୁନାହୁଁ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କର ଆଦର୍ଶଗତ ପାର୍ଥକ୍ୟ ସତ୍ତ୍ୱେ ପାୱାରଙ୍କୁ ଅନେକ ଥର ପ୍ରଶଂସା କରିଛନ୍ତି।୨୦୧୯ ଠାରୁ ମହାବିକାଶ ଆଘାଡି ପରୀକ୍ଷଣ ରାଜ୍ୟରେ ଦେଖାଯାଉଛି। ଯାହାକି ୨୦୨୨ ପର୍ଯ୍ୟନ୍ତ ମଧ୍ୟ ସଫଳ ହୋଇଥିଲା। କାରଣ ତିନି ଦଳ ଏକାଠି ହୋଇ ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ। ମାତ୍ର ଏବେ ରାଜ୍ୟରେ ରାଜନୈତିକ ସମୀକରଣ ବଦଳି ଯାଇଛି।

Share