ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ତେଜିଲା ଭାଜପା

ବଡବିଲ,୧୫।୦୬(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲରେ ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଭାଜପା ପକ୍ଷରୁ ବଡବିଲ ସ୍ଥିତ ଟିପିଏନ୍‌ଓଡିଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସୂଚନା ଅନୁଯାୟୀ, ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମଧ୍ୟ ବଡବିଲରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହା ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ। ବିଦ୍ୟୁତ୍‌ ବିନା କ୍ଷଣିକ ଘରେ ବସିବା ସମ୍ଭବ ହେଉ ନ ଥିବାବେଳେ ବିଭାଗ ପକ୍ଷରୁ ଅଘୋଷିତ କାଟ ସହ ସାମାନ୍ୟ ବର୍ଷା, ପବନ ହେଲେ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଉଥିବା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିରେ ଜନସାଧାରଣ ଅତିଷ୍ଠ ହୋଇପଡିଥିବା ବେଳେ ଭାଜପା ପକ୍ଷରୁ ଗୁରୁବାର ଏକ ଶୋଭାଯାତ୍ରା ବାହାରି ବଡବିଲ ସ୍ଥିତ ଟିପିଏନ୍‌ଓଡିଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ଭାଜପା ଭାଜପା କେନ୍ଦୁଝର ଜିଲା ଉପ ସଭାପତି ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ସଂଯୋଜକ ଦେବପ୍ରସାଦ ମିଶ୍ର, ଜିଲା ଉପସଭାନେତ୍ରୀ ସ୍ବପ୍ନା ସାହୁ ଓ ଜିଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳୀ କର ପ୍ରମୁଖ ଯୋଗଦେଇ କମ୍ପାନୀର ଅବହେଲା ଯୋଗୁ ଏଭଳି ଅବ୍ୟବସ୍ଥା ହେଉଥିବା କହିଥିଲେ।

ଏପରି କି ଭାଜପା କର୍ମକର୍ତ୍ତାମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଭଳିସ୍ଥତିରେ ବିଦ୍ୟୁତ୍‌ ବିଭାଗ(ଟିପିଏନ୍‌ଓଡିଏଲ୍‌)ର ଉପଖଣ୍ଡ ଅଧିକାରୀ କିମ୍ବା କନିଷ୍ଠ ଯନ୍ତ୍ରୀ ଛୁଟିରେ ଥିବା ଜଣାପଡିଥିଲା। ତେବେ ୨୪ ଘଣ୍ଟିଆ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବିଦ୍ୟୁତ୍‌ ବିଭାଗରେ ଦୁଇ ଅଧିକାରୀ ଏକ ସାଙ୍ଗରେ ଅନୁପସ୍ଥିତି ରହିବାକୁ ନେଇ ନେତୃବୃନ୍ଦ ପ୍ରଶ୍ନ ଉଠାଇଥିଲେ। ତେବେ ଆଗାମୀ ଦିନରେ ବିଦ୍ୟୁତ୍‌ ଯୋଗାଣରେ ସୁଧାର ନ ଆସିଲେ ବିଭାଗୀୟ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ଭାଜପା ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।

Share