ପ୍ରଶାନ୍ତ ଜଗଦେବଙ୍କ ଗିରଫ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ଭାଜପା

ଖୋର୍ଦ୍ଧା,୨୫ା୫(ପ୍ରଭାତ କୁମାର ପାଣିଗ୍ରାହୀ): ପ୍ରଶାନ୍ତ ଜଗଦେବଙ୍କୁ ଗିରଫ ପ୍ରତିବାଦରେ ଖୋର୍ଦ୍ଧା ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ସୋମବାର ଭାଜପା ପକ୍ଷରୁ ପ୍ରତିବାଦ ସଭା କରାଯାଇଥିଲା। ଶାସକ ଦଳର ନିର୍ଦ୍ଦେଶ କ୍ରମେ ପୋଲିସ ଏକ ଚକ୍ରାନ୍ତ କରିଥିବା ପ୍ରତିବାଦ ସଭାରେ ଉପସ୍ଥିତ ଭାଜପା କର୍ମକର୍ତ୍ତା ଅଭିଯୋଗ କରିଥିଲେ।

ଅନ୍ୟପକ୍ଷେ ତୁରନ୍ତ ପ୍ରଶାନ୍ତଙ୍କୁ ଖଲାସ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବୋଲଗଡ କାଉଁରିପାଟଣା ବୁଥରେ ଭୋଟ ଦେବାକୁ ଯାଇଥିବା ବେଳେ ଇଭିଏମ ଭାଙ୍ଗିବାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଘଟଣାର କିଛି ସମୟ ମଧ୍ୟରେ ପୋଲିସ ବେଗୁନିଆ ନିକଟରୁ ପ୍ରଶାନ୍ତଙ୍କୁ ଉଠାଇନେଇ ବୋଲଗଡ଼ ଥାନାକୁ ନେଇଥିଲା । ତେବେ ସେଠାରେ ପ୍ରଶାନ୍ତ ଧାରଣା ଦେବା ସହିତ ବୁଥରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ଦାବି କରିଥିଲେ । ପୋଲିସ ତାଙ୍କ ଦାବିକୁ ଗୁରୁତ୍ୱ ନ ଦେଇ ତାଙ୍କୁ ବୋଲଗଡ ଥାନାରୁ ଖୋର୍ଦ୍ଧା ରିଜର୍ଭ ପୋଲିସ ବାରାକ୍‌କୁ ନେଇ ରଖିଥିଲା । ପରବର୍ତ୍ତି ସମୟରେ ପୋଲିସ ବିଳମ୍ବିତ ରାତିରେ ପ୍ରଶାନ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜେଲକୁ ପଠାଇଥିଲା।

ପ୍ରଶାନ୍ତଙ୍କୁ ଗିରଫ କରାଯିବା ଏକ ଯୋଜନାବଦ୍ଧ ଚକ୍ରାନ୍ତ ବୋଲି ଭାଜପା ଅଭିଯୋଗ କରିଛି। ଘଟଣାର କୌଣସି ତଦନ୍ତ ନ କରି ବିନା ଏତଲାରେ ତାଙ୍କୁ ଗିରଫ କରାଯାଇଥିବା ଭାଜପା ପକ୍ଷରୁ କୁହାଯାଇଛି।

କାଉଁରିପାଟଣା ବୁଥର ପ୍ରିଜାଇଡିଂ ଅଫିସର ବୁଥରେ ଭୋଟ କରାଉଥିବା ବେଳେ କୌଣସି ଏତଲା କରି ନ ଥିବା ବେଳେ ପ୍ରଶାନ୍ତଙ୍କୁ କିଭଳି ଏବଂ କେଉଁ ଆଧାରରେ ଗିରଫ କରାଗଲା ବୋଲି ଭାଜପା ପ୍ରଶ୍ନ କରିଛି। ଏପରିକି ପ୍ରଶାନ୍ତ ଇଭିଏମ୍‌ ଭାଙ୍ଗି ନ ଥିବା କହିବା ସହିତ ବୁଥର ସିସିଟିଭି ଯାଞ୍ଚ କରିବାକୁ ଦାବି କରିଛନ୍ତି।

ପ୍ରଶାନ୍ତଙ୍କୁ ଖଲାସ କରା ନ ଗଲେ ଆଗକୁ ଜାତୀୟ ରାଜପଥ ଅବରୋଧ ଏବଂ ପରେ ଖୋର୍ଦ୍ଧା ବନ୍ଦ କରାଯିବ ବୋଲି ଭାଜପା କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି। ଏପରିକି ବୁଥରେ ଲାଗିଥିବା ସିସିଟିଭି ଫୁଟେଜକୁ ସାର୍ବଜନୀନ କରିବାକୁ ଦାବି କରାଯାଇଛି। ଅନ୍ୟପକ୍ଷେ ପ୍ରଶାନ୍ତ କିଛିଦିନ ପୂର୍ବରୁ ଖୋର୍ଦ୍ଧା ଏସ୍‌ଡିପିଓ ଏଜେଣ୍ଟ ସାଜି କାମ କରୁଥିବା ଅଭିଯୋଗ ଆଣିଥିଲେ।

Share