ଭାଜପା ରାଜ୍ୟ ପ୍ରଭାରୀ, ସହପ୍ରଭାରୀ ନିଯୁକ୍ତ

ଭୁବନେଶ୍ୱର,୨୮।୧(ଅନିଲ ଦାସ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଶନିବାର ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ତାଲିକା ଘୋଷଣା କରିଛନ୍ତି। ଓଡ଼ିଶା ପାଇଁ ବିଜୟ ପାଲ ସିଂ ତୋମାରଙ୍କୁ ପ୍ରଭାରୀ ଏବଂ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ଦେଇଛନ୍ତି। ତୋମାର ଉତ୍ତର ପ୍ରଦେଶରୁ ଏମ୍‌ପି ଥିବାବେଳେ ଉସେଣ୍ଡି ଛତିଶଗଡ଼ରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଉଭୟ ରାଜ୍ୟରେ ଭାଜପା ସରକାର ଗଠନରେ ତୋମାର ଏବଂ ଲତା ଉସେଣ୍ଡିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।
ରାଜ୍ୟ ସଭାପତି ମନମୋହନ ସାମଲ ଉଭୟଙ୍କୁ ସ୍ବାଗତ କରିବା ସହ କୃତଜ୍ଞତା ଜଣାଇଛନ୍ତି। ଏହି ୨ ଜଣଙ୍କ ରାଜନୈତିକ ଏବଂ ସାଙ୍ଗଠନିକ ଦକ୍ଷତା ଓଡ଼ିଶାରେ ଭାଜପା ସରକାର ଗଠନ କରିବାରେ ବେଶ୍‌ ସହାୟକ ହେବ ବୋଲି ସେ କହିଛନ୍ତି । ଏଭଳି ଦକ୍ଷ ନେତାଙ୍କୁ ଓଡ଼ିଶା ପାଇଁ ଚୟନ କରିଥିବାରୁ ମନମୋହନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ଓଡ଼ିଶାରେ ଭାଜପା ସରକାର ଗଠନ କରିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

Share