ନୂଆଦିଲ୍ଲୀ,୭।୮: ଇଟାଓ୍ବାର ଭାଜପା ଏମ୍ପି ରାମଶଙ୍କର କାଠେରିଆଙ୍କୁ ଜିଲା ଜଜ କୋର୍ଟ ଆଗ୍ରାଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ଏମ୍ପି ଏମ୍ଏଲେ କୋର୍ଟ ଆଗ୍ରାର ଦଣ୍ଡାଦେଶ ଆଦେଶ ଉପରେ ରୋକ ଲଗାଇଛନ୍ତି। ଦୁଇ ଦିନ ପୂର୍ବରୁ ଏମ୍ପି ଏମ୍ଏଲେ କୋର୍ଟ ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ। ସୋମବାର ଜିଲା ଜଜ କୋର୍ଟରେ ଏହି ନିଷ୍ପତ୍ତି ବିରୋଧରେ ଭାଜପା ଏମ୍ପି ରାମଶଙ୍କର ଆବେଦନ କରିଥିଲେ। ତେବେ କୋର୍ଟଙ୍କ ନିଷ୍ପତ୍ତି ପରେ ଭାଜପା ଏମ୍ପି ରାମଶଙ୍କରଙ୍କ ସମର୍ଥକମାନେ ଆଗ୍ରାସ୍ଥିତ ତାଙ୍କ ବାସଭବନରେ ମିଠା ବଣ୍ଟନ କରି ସ୍ବାଗତ କରିଛନ୍ତି।
ଅଦାଲତ ଶୁଣାଣି ସମୟରେ କହିଛନ୍ତି , ଆବେଦନର ସମାଧାନ ନ ହେବା ପର୍ଯ୍ୟନ୍ତ ଦଣ୍ଡାଦେଶ ଉପରେ ରୋକ ରହିବ। ଏହା ବ୍ୟତିତ ଭାଜପା ସାଂସଦ ମଧ୍ୟ ତାଙ୍କ ଆବେଦନ ଉପରେ ଜାମିନ ପାଇଛନ୍ତି। ଆଗ୍ରାର ଏକ କୋର୍ଟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାଠେରିଆଙ୍କୁ ନଭେମ୍ବର ୨୦୧୧ର ଏକ ପାୱାର କମ୍ପାନୀର କର୍ମଚାରୀଙ୍କୁ ପିଟିବା ଅଭିଯୋଗରେ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଜରିମାନା ଆଦେଶ କରିଛନ୍ତି। ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୧୪୭(ଦଙ୍ଗା) ଏବଂ ୩୨୩ ଅନୁଯାୟୀ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।