ନୂଆଦିଲ୍ଲୀ,୧୧।୮: ଅନାସ୍ଥା ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ମଣିପୁର କମ୍ କିନ୍ତୁ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ତେବେ ୨ଘଣ୍ଟା ୧୩ମିନିଟର ଭାଷଣକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଏହାପରେ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଏହାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି।
ସେ କହିଛନ୍ତି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ କେବେ ଭାବି ନ ଥିଲେ ଯେ ଆମେ ମଣିପୁର ବିଷୟରେ ଆଲୋଚନା କରିବାକୁ ରାଜି ହେବୁ। ଆଜି ରାହୁଲ ଗାନ୍ଧୀ ଯେପରି ପ୍ରେସ କନଫ୍ରେନ୍ସ କରିଛନ୍ତି ଲାଗୁଛି ସେ ମାନସିକ ସନ୍ତୁଳନ ହରାଇ ସାରିଛନ୍ତି। ତଥାକଥିତ ସବୁଠାରୁ ବଡ ପୁରୁଣା ପାର୍ଟି ଏତେ ଦାୟିତ୍ୱହୀନ ଭାବରେ ଆଚରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ରାଜନୈତିକ କାରଣରୁ ବିରୋଧୀମାନେ ଆଲୋଚନାରେ ଅଂଶଗ୍ରହଣ କରି ନ ଥିଲେ। ସେମାନେ କେବଳ ଦିଲ୍ଲୀ ବିଲରେ ଅଂଶଗ୍ରହଣ କରିଥିଲେ। ସରକାର ଚାହୁଁ ନ ଥିଲେ କୌଣସି ବିଲ ବିନା ଆଲୋଚନାରେ ଗୃହରେ ପାସ କରାଯାଉ। ଆମେ ବିନା ଆଲୋଚନା ବିଲ୍ ପାସ କରିନାହୁଁ। ରାଜ୍ୟସଭାରେ ପ୍ରାୟ ସମସ୍ତ ବିଲ ଉପରେ ଆଲୋଚନା କରାଯାଇଥିଲା।