ଭାଜପା ଶାସିତ ରାଜ୍ୟକୁ ମିଳୁଛି ଅଧିକ ଡୋଜ୍‌ : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଭିଯୋଗ

ମୁମ୍ବାଇ,୮।୪: କେନ୍ଦ୍ର ସରକାର କରୋନା ଟିକା ଯୋଗାଣରେ ଭେଦଭାବ କରୁଛନ୍ତି। ଭାଜପା ଶାସିତ ରାଜ୍ୟଗୁଡ଼ିକୁ ଅଧିକ ସଂଖ୍ୟକ ଡୋଜ୍‌ ଯୋଗାଇ ଦିଆଯାଉଥିବାବେଳେ ଅଣ-ଭାଜପା ଶାସିତ ରାଜ୍ୟ ପ୍ରତି ପାତର ଅନ୍ତର କରାଯାଉଥିବା ମହାରାଷ୍ଟ୍ର ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଅଭିଯୋଗ ଆଣିଛନ୍ତି। ଟିକା ଯୋଗାଣରେ ରାଜନୀତି ହେଉଥିବା ସେ କହିଛନ୍ତି। ରାଜେଶ କହିଛନ୍ତି ଯେ, ପ୍ରତି ସପ୍ତାହ ପିଛା ଉତ୍ତରପ୍ରଦେଶକୁ ୪୮ ଲକ୍ଷ ମଧ୍ୟପ୍ରଦେଶକୁ ୪୦ ଲକ୍ଷ କରୋନା ଟିକାର ଡୋଜ୍‌ ଯୋଗାଇ ଦିଆଯାଉଛି। ସେହିପରି ଗୁଜରାଟକୁ ସପ୍ତାହରେ ୩୦ ଲକ୍ଷ ଡୋଜ୍‌ ମିଳୁଛି। ଅପରପକ୍ଷରେ ମହାରାଷ୍ଟ୍ରକୁ ସପ୍ତାହରେ ମାତ୍ର ୧୭ ଲକ୍ଷ ଡୋଜ୍‌ ଯୋଗାଇ ଦିଆଯାଉଛି। ଏହା ସମ୍ପୂର୍ଣ୍ଣ ଭେଦଭାବ ପୂର୍ଣ୍ଣ। ମହାରାଷ୍ଟ୍ର ପାଇଁ ସପ୍ତାହରେ ୪୦ ଲକ୍ଷ ଡୋଜ୍‌ର ଆବଶ୍ୟକତା ରହିଥିବା ସେ କହିଛନ୍ତି। ଗୁଜରାଟର ଜନସଂଖ୍ୟା ୫ କୋଟି। ରାଜ୍ୟକୁ କେନ୍ଦ୍ରସରକାର କୋଟିଏରୁ ଅଧିକ ଡୋଜ୍‌ ଯୋଗାଇ ଦେଇଛନ୍ତି। ଅପରପକ୍ଷରେ ମହାରାଷ୍ଟ୍ରର ଜନସଂଖ୍ୟା ୧୨ କୋଟି ଥିବାବେଳେ ରାଜ୍ୟକୁ ମାତ୍ର କୋଟିଏ ୪୦ ଲକ୍ଷ ଡୋଜ୍‌ ମିଳିଛି। ଡୋଜ୍‌ ଅଭାବରୁ ମୁମ୍ବାଇର ୨୬ଟି ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପାଖକୁ ଚିଠି ଲେଖିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।

Share