Categories: ଜାତୀୟ

ଅଭିନେତା ଶାହାରୁଖ ଖାନଙ୍କୁ ‘ଥ୍ୟାଙ୍କ୍‌ ୟୁ’ କହିଲା ଭାଜପା

ନୂଆଦିଲ୍ଲୀ,୧୪।୯: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଫିଲ୍ମ ‘ଯବାନ’ ପାଇଁ ‘ଥ୍ୟାଙ୍କ୍‌ ୟୁ’ କହିଛି ଭାଜପା। ଏହି ଫିଲ୍ମ ୟୁପିଏ ଶାସନର ଦୁଃଖଦ ରାଜନୈତିକ ଇତିହାସକୁ ମନେ ପକାଇଥାଏ ବୋଲି ଦଳ କହିଛି।
ଭାଜପା ଜାତୀୟ ମୁଖପାତ୍ର ଗୌରବ ଭାଟିଆ ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ ଫିଲ୍ମର ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ଶାସନ କାଳରେ ସରକାରଙ୍କ ଦୁର୍ନୀତି ଏବଂ ପଲିସି ପାରାଲିସିସ୍‌କୁ ପ୍ରକାଶ କରିଥିବାରୁ ଆମେ ଶାହାରୁଖ ଖାନଙ୍କୁ ଧନ୍ୟବାଦ ଦେବା ଉଚିତ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ୟୁପିଏ-୨ ଶାସନ କାଳରେ ୨୦୦୯ ରୁ ୨୦୧୪ ମଧ୍ୟରେ ସିଏବ୍ଲ୍ୟୁଜି, ୨ଜି, କୋଇଲା ସ୍କାମ ହୋଇଥିଲା। ଗତ ସାଢେ ୯ ବର୍ଷ ମଧ୍ୟରେ ବର୍ତ୍ତମାନର ନରେନ୍ଦ୍ର ମୋଦି ସରକାରଙ୍କ ରେକର୍ଡ ସମ୍ପୂର୍ଣ୍ଣ ପରିଷ୍କାର ଅଟେ। କୌଣସି ଦୁର୍ନୀତି ନାହିଁ।
ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, କଂଗ୍ରେସ ଶାସନ ସମୟରେ ଅତି କମରେ ୧.୬ ଲକ୍ଷ କୃଷକ ଆତ୍ମହତ୍ୟା କରିଥିବାବେଳେ ବର୍ତ୍ତମାନର ଏନଡିଏ ସରକାର ପ୍ରଧାନମନ୍ତ୍ରୀ କିସାନ ସମାନ ନିଧି ମାଧ୍ୟମରେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଲାଗୁ କରିଛନ୍ତି। ୨.୫୫ ଲକ୍ଷ କୋଟି ଟଙ୍କା ୧୧ କୋଟି କୃଷକ ପରିବାରର ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯାଇଛି।
‘ଯବାନ’ ଫିଲ୍ମର ପୋଷ୍ଟର ଶେୟାର କରି ଗୌରବ କହିଛନ୍ତି, ଶାହାରୁଖ ଖାନଙ୍କୁ ଧନ୍ୟବାଦ! ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏହି ପ୍ରସଙ୍ଗଗୁଡ଼ିକ ଅତୀତର ହୋଇଗଲାଣି। ଏହି ଚଳଚ୍ଚିତ୍ରକୁ ଯୁବ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ସେପ୍ଟେମ୍ବର ୭ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ମଧ୍ୟ ଭଲ ରୋଜଗାର କରିଛି।

Share