Categories: ଜାତୀୟ

ମମତାଙ୍କ ପୁତୁରା ଅଭିଷେକଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାକୁ ନେଇ ୨ ଭାଜପା କର୍ମୀଙ୍କୁ ହତ୍ୟା

କୋଲକାତା,୩ା୮: ପଶ୍ଚିମବଙ୍ଗରେ ଦୁଇ ଜଣ ଭାଜପା କର୍ମୀଙ୍କୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ହତ୍ୟା କରିଛି। ମଙ୍ଗଳବାର ଏଭଳି ଗୁରୁତର ଅଭିଯୋଗ ଆଣିଛି ବିରୋଧୀ ଭାଜପା।

ଦିନକ ପୂର୍ବରୁ ସୋମବାର ଏକ ଭିଡିଓ ଶେୟାର କରିଥିଲେ ଟିଏମ୍‌ସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ। ସେଥିରେ ଅଭିଷେକଙ୍କ ଗାଡ଼ି ଆଗରେ ଭାଜପା ଝଣ୍ଡା ଧରି କିଛି ଲୋକ ତାଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ। କିଛି ସମୟ ପରେ ଜଣେ ବ୍ୟକ୍ତି ହାତରେ ବାଉନ୍ସ ଧରି ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାର ନିନ୍ଦା କରିବା ସହ ଆକ୍ରମଣକାରୀମାନେ ଭାଜପା କର୍ମୀ ନୁହନ୍ତି ବୋଲି ସଫେଇ ଦେଇଥିଲେ ଭାଜପାର ମୁଖ୍ୟ ପ୍ରବକ୍ତା ସମିକ ଭଟ୍ଟଚାର୍ଯ୍ୟ।ର

ଘଟଣା ପରେ ଭାଜପା କର୍ମୀଙ୍କୁ ଏକ ଫେସବୁକ ପୋଷ୍ଟରେ ଚେତାବନୀ ଦେଇଥିଲେ ପଶ୍ଚିମବଙ୍ଗର କୁଚ ବେହାର ଜିଲାର ଦିନହାତା ନିର୍ବାଚନ ମଣ୍ଡଳୀର ଟିଏମ୍‌ସି ବିଧାୟକ ଉଦୟନ ଗୁହା। ପୋଷ୍ଟରେ ଲେଖିଥିଲେ, ‘ତ୍ରିପୁରାରେ ଯାହା ଘଟିଲା, ସେଥି ପାଇଁ ଭାଜପା ନେତା ଓ କର୍ମୀଙ୍କ କଥା ବୁଝାହେବ’।

ପୂର୍ବ ମେଦିନପୁର ଜିଲାର ଇଗ୍ରା ଅଞ୍ଚଳର ତପନ ଖଟୁଆ ଓ ବିରଭୂମ ଜିଲାର ଖୋରାସୋଲ ଅଞ୍ଚଳର ଇନ୍ଦ୍ରିଜିତ ସୁତ୍ରଧାରଙ୍କୁ ସୋମବାର ରାତିରେ ହତ୍ୟା କରାଯାଇଛି। ଦୁହେଁ ଭାଜପା କର୍ମୀ। ମଙ୍ଗଳବାର ସକାଳେ ପୋଖରୀରେ ଭାସୁଥିବା ଖଟୁଆଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଝୁଲନ୍ତା ଅବସ୍ଥାରେ ମିଳିଛି ସୁତ୍ରଧାରଙ୍କ ମରଶରୀର। ଉଭୟଙ୍କ ମୃତ୍ୟୁ ପାଇଁ ଟିଏମ୍‌ସିକୁ ଦାୟୀ କରିଛି ଭାଜପା। ତେବେ ରାଜନୈତିକ ଫାଇଦା ପାଇଁ ଦୁଇଟି ଅସ୍ବାଭାବିକ ମୃତ୍ୟୁକୁ ଭାଜପା ହତ୍ୟା ଦର୍ଶାଉଥିବା ଉଭୟ ଜିଲାରେ ଟିଏମ୍‌ସି କର୍ମୀ ଅଭିଯୋଗ କରିଛନ୍ତି।

Share