Categories: ଜାତୀୟ

ବଡ଼ ହୃଦୟ ଦେଖାଇଲା ଭାଜପା: ସିନ୍ଧେ

ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ରାଜନୀତିରେ ଲାଗିରହିଥିବା ବିବାଦ ଶେଷ ହୋଇଛି। ୧୧ଦିନ ପରେ ଗୁରୁବାର ମହାରାଷ୍ଟ୍ର ରାଜନୀତି ଏକ ବଡ଼ ମୋଡ଼ ନେଇଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସନ୍ଧ୍ୟା ସାଢ଼େ ୭ଟାରେ ସେ ଶପଥ ନେବେ ବୋଲି ଭାଜପା ବରିଷ୍ଠ ନେତା ଦେବେନ୍ଦ୍ର ଫଡନବିସ୍‌ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ତେବେ ମହାରାଷ୍ଟ୍ର ବିକାଶ ପାଇଁ ଭାଜପା-ଶିବସେନା ଏକାଠି ହୋଇଛି ବୋଲି ଏକନାଥ ସିନ୍ଧେ ଉକ୍ତ ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାଜପା ବଡ଼ ହୃଦୟ ଦେଖାଇଛି। ବଡ଼ ଦଳ ହୋଇ ମଧ୍ୟ ଫଡନବିସ୍‌ ମୁଖ୍ୟମନ୍ତ୍ରୀ ନ ହୋଇ ତାଙ୍କୁ ସୁଯୋଗ ଦେଇଛି ବୋଲି ସିନ୍ଧେ କହିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏତଦ୍‌ ବ୍ୟତୀତ ବାଲାସାହେବଙ୍କ ବିଚାରକୁ ମଧ୍ୟ ଆଗେଇ ନେବେ ବୋଲି ଏକନାଥ ସିନ୍ଧେ କହିଛନ୍ତି।

Share