Categories: ଜାତୀୟ

ଓବିସି-ବ୍ରାହ୍ମଣ-ରାଜପୁତଙ୍କ ଜାତିଗତ ସମୀକରଣକୁ ଗୁରୁତ୍ୱ ଦେଇଛି ଭାଜପା …

ନୂଆଦିଲ୍ଲୀ,୧୨।୧୨ : ଛତିଶଗଡ ଏବଂ ମଧ୍ୟପ୍ରଦେଶ ପରେ ଭାରତୀୟ ଜନତା ପାର୍ଟି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରିଛି। ପ୍ରତ୍ୟେକ ଥର ପରି,ଭାଜପା ଏଭଳି ନାମ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଯାହାକୁ କେହି ଆଶା କରି ନ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନାମ ବିଷୟରେ କାହାରି ଧାରଣା ନ ଥିଲା। ଦଳ ତିନୋଟି ରାଜ୍ୟରେ ଉତ୍ତରପ୍ରଦେଶ ସୂତ୍ର ଗ୍ରହଣ କରିଛି। ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇଜଣ ଡେପୁଟି ସିଏମଙ୍କ ନାମ ଘୋଷଣା କରିଛି। ଏହି ସମସ୍ତ ନାମ ଘୋଷଣା କରିବାବେଳେ ଭାଜପା ୨୦୨୪ ର କାଷ୍ଟ ଫ୍ୟାକ୍ଟରକୁ ମନେ ରଖିଛି। ଏହି ତିନୋଟି ରାଜ୍ୟରେ ଓବିସି, ବ୍ରାହ୍ମଣ ଏବଂ ରାଜପୁତଙ୍କ ଜାତି ସମୀକରଣ ଉପରେ ଭାଜପା ବିଶେଷ ଧ୍ୟାନ ଦେଇଛି।

ଜୟପୁରର ସାନଗର ଆସନରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଭଜନଲାଲ ଶର୍ମା ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ ହେବେ। ଏହା ସହିତ ବିଧାୟକ ପ୍ରେମଚାନ୍ଦ ବେରୱା ଏବଂ ଦିୟା କୁମାରୀଙ୍କୁ ରାଜସ୍ଥାନର ଉପ-ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଏଠାରେ ଅନୁଷ୍ଠିତ ଭାଜପା ବିଧାୟକ ଦଳର ବୈଠକରେ ଶର୍ମା ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରସ୍ତାବ ଦେଇଥିଲେ, ଯାହା ବିଧାୟକ ଦଳ ଦ୍ୱାରା ଗ୍ରହଣ କରାଯାଇଥିଲା। ଭଜନଲାଲ ହେଉଛନ୍ତି ଭାଜପାର ରାଜ୍ୟ ମହାସଚିବ। ରାଜନୀତି ବିଜ୍ଞାନରେ ତାଙ୍କର ମାଷ୍ଟର ଡିଗ୍ରୀ ରହିଛି।

ଛତିଶଗଡର ମୁଖ୍ୟମନ୍ତ୍ରୀ ସୁଖଦେବ ସାଏ ଜଣେ ଆଦିବାସୀ। ରାଜ୍ୟର ଡେପୁଟି ସିଏମ ଅରୁଣ ସାଓ ଜଣେ ଓବିସି, ଅନ୍ୟ ଜଣେ ଡେପୁଟି ସିଏମ ବିଜୟ ଶର୍ମା ହେଉଛନ୍ତି ବ୍ରାହ୍ମଣ। ବାଚସ୍ପତି ରମଣ ସିଂ ଜଣେ ରାଜପୁତ।

ସେହିପରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜଣେ ଓବିସି। ଡେପୁଟି ସିଏମ ଜଗଦୀଶ ଦେଓରା ଜଣେ ଏସସି, ଅନ୍ୟ ଜଣେ ଡେପୁଟି ସିଏମ ରାଜେନ୍ଦ୍ର ଶୁକ୍ଲା ହେଉଛନ୍ତି ବ୍ରାହ୍ମଣ। ବାଚସ୍ପତିନ୍‌ ନରେନ୍ଦ୍ର ତୋମାର ଜଣେ ରାଜପୁତ।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା  ବ୍ରାହ୍ମଣ। ଡେପୁଟି ସିଏମ ଦିୟା କୁମାରୀ  ରାଜପୁତ, ଅନ୍ୟ ଜଣେ ଡେପୁଟି ସିଏମ ପ୍ରେମଚନ୍ଦ୍ର ବେରୱା ହେଉଛନ୍ତି ଦଳିତ। ବାଚସ୍ପତି ଭାସୁଦେବ ଦେବନାନି ଜଣେ ସିନ୍ଧି।

 

Share