Categories: ଜାତୀୟ

ସୋନିଆଙ୍କ ବିରୋଧରେ ଆପତ୍ତିଜନକ କମେଣ୍ଟ, ଜେପି ନଡ୍ଡାଙ୍କୁ ଚିଠି ଲେଖିଲା କଂଗ୍ରେସ

ନୂଆଦିଲ୍ଲୀ,୨୪ ।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରବକ୍ତା ପ୍ରେମ ଶୁକ୍ଳାଙ୍କ ଦ୍ୱାରା କଥିତ ଭାବେ ସୋନିଆ ଗାନ୍ଧୀଙ୍କ ବିରୋଧରେ ‘ଆପତ୍ତିଜନକ ଭାଷା’ ବ୍ୟବହାରକୁ ନେଇ କଂଗ୍ରେସ କଡା ପ୍ରତିକ୍ରିୟା ଦେଇଛି । କଂଗ୍ରେସ ମହାସଚିବ ଜୟରାମ ରମେଶ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପତ୍ର ଲେଖି କ୍ଷମା ପ୍ରାର୍ଥନା କରିବା ସହ ଭବିଷ୍ୟତରେ ଏମିତି ହେଲେ ମାନହାନୀ ମକଦ୍ଦମା କରିବାକୁ ଚେତାବନୀ ଦେଇଛନ୍ତି ।
ଭାଜପା ଅଧ୍ୟକ୍ଷ ନଡ୍ଡାଙ୍କୁ ଲେଖିଥିବା ପତ୍ରରେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି କଂଗ୍ରେସ ୨୩ ଜୁଲାଇରେ ଏକ ରାଷ୍ଟ୍ରୀୟ ସମାଚାର ଚ୍ୟାନେଲରେ ଚର୍ଚ୍ଚା ସମୟରେ ଶୁକ୍ଳାଙ୍କ ଦ୍ୱାରା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଇଁ ଅଭଦ୍ର ଓ ଅପମାନ ଜନକ ଭାଷାର ବ୍ୟବହାର କରାଯାଇଥିବାରୁ କଡା ଆପତ୍ତି କରାଯାଉଛି । ସେ କହିଛନ୍ତି ସଂସ୍କୃତିର କଥା କହୁଥିବା ଭାଜପାର ଶୀର୍ଷ ନେତା ଓ ପ୍ରବକ୍ତାମାନେ ଦେଶର ମହିଳାଙ୍କୁ ବିଶେଷ କରି ଏକ ରାଷ୍ଟ୍ରୀୟ ଦଳର ୭୫ ବର୍ଷିୟା ଅଧ୍ୟକ୍ଷାଙ୍କ ବିରୋଧରେ ବାରମ୍ବାର ଆପତ୍ତିଜନକ ଭାଷାର ବ୍ୟବହାର କରିଛନ୍ତି ।
ରମେଶ କହିଛନ୍ତି, ବିରୋଧୀଦଳ ନେତାଙ୍କ ପାଇଁ ଆପତ୍ତିଜନକ ଭାଷା ବ୍ୟବହାର କରିବା ଭାଜପାର ମହିଳା ବିରୋଧି ଚିନ୍ତାଧାରାକୁ ଦର୍ଶାଉଛି । ଏମିତି ଆପତ୍ତିଜନକ ଟିପ୍ପଣି ଯୋଗୁ ଦେଶର ରାଜନୀତି ତଳକୁ ଯାଉଛି ।

Share