Categories: ଜାତୀୟ

କଙ୍ଗନାଙ୍କୁ ସମାଲୋଚନା କଲେ ଭାଜପା ପ୍ରବକ୍ତା

ମୁମ୍ବାଇ,୧୭।୧୧: ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଚ୍ଛଲ୍ୟ କରିଥିବା ବିବାଦୀୟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ସମାଲୋଚନା କରିଛନ୍ତି ଭାଜପା ପ୍ରବକ୍ତା। ଭାଜପା ଦିଲ୍ଲୀ ପ୍ରବକ୍ତା ନିଘାତ ଆବାସ ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି। ସେଥିରେ ସେ କହିଛନ୍ତି, ଦେଶବାସୀ ଗାନ୍ଧୀଜୀଙ୍କୁ ଜାତିର ପିତା ମାନ୍ୟତା ଦେଇଛନ୍ତି। ତାଙ୍କର ଆଦର୍ଶ ଏହି ଦେଶରେ ଭାରତୀୟଙ୍କୁ ଜୀବନ୍ତ ରଖିଛି। ତାଙ୍କ ଚିନ୍ତାଧାରା ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅନୁପ୍ରାଣିତ କରୁଛି। ମୁଁ ଜାଣିବାକୁ ଚାହୁଁଛି ଗାନ୍ଧୀଜୀଙ୍କ ବିଷୟରେ ଅପମାନଜନକ ଶବ୍ଦ ବ୍ୟବହାର କରି କଙ୍ଗନା କ’ଣ ହେବାକୁ ଚାହୁଁଛନ୍ତି। ସେ ଏଭଳି ମନ୍ତବ୍ୟ ଦେଇ ବାରମ୍ବାର ସ୍ବାଧୀନତା ସଂଗ୍ରାମ ଉପରେ ପ୍ରଶ୍ନ ଉଠାଇ ଦେଶବାସୀଙ୍କୁ ଆଘାତ ଦେଉଛନ୍ତି। ସେ କେବଳ ଦେଶବାସୀଙ୍କୁ ଆଘାତ ଦେଉଛନ୍ତି ତାହା ନୁହେଁ, ବରଂ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଅପମାନିତ କରୁଛନ୍ତି।

ମର୍ଣ୍ଣିକର୍ନିକା ଅଭିନେତ୍ରୀ ମଙ୍ଗଳବାର ଇନ୍‌ଷ୍ଟାଗ୍ରାମର କିଛି ପୋଷ୍ଟ କରି ଦାବି କରିଥିଲେ ଯେ, ସୁବାସ ଚନ୍ଦ୍ର ବୋଷ ଓ ଭଗତ ସିଂଙ୍କୁ ମହତ୍ମା ଗାନ୍ଧୀଙ୍କ ଠାରୁ କୌଣସି ସମର୍ଥନ ମିଳି ନ ଥିଲା। ଏପରିକି ଗାନ୍ଧୀଜୀଙ୍କ ଅହିଂସା ମନ୍ତ୍ରର ମଧ୍ୟ ମଜାକ ଉଡାଇଥିଲେ। ‘ଗୋଟିଏ ଗାଲରେ ଚାପୁଡ଼ା ବାଜିଲେ ଅନ୍ୟ ଗାଲ ଦେଖାଇବା ଦ୍ୱାରା ସ୍ବାଧୀନତା ମିଳେ ନାହିଁ। ଭିକ ମିଳିପାରେ“ ବୋଲି ସେ ଲେଖିଥିଲେ।

Share