ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ ଓ ପୁରୀ ଏମପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସମେତ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଓ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏହି ତାଲିକାରୁ ବାଦ ପଡିଛନ୍ତି ।

ଓଡିଶା ପାଇଁ ଦଳ ପକ୍ଷରୁ ମଙ୍ଗଳବାର ଜାରି ତୃତୀୟ ସଂଶୋଧିତ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୬ଜଣ ନେତାଙ୍କୁ ବାଦ ଦେଇ ୬ ଜଣ ନୂଆ ନେତାଙ୍କୁ ସାମିଲ କରାଯାଇଛି । ଯେଉଁ ନେତାମାନଙ୍କୁ ଚଳିତଥର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ସେମାନେ ହେଲେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ସମେତ ଦଳର ବରିଷ୍ଠ ନେତା କେଭି ସିଂହଦେଓ, ବିମ୍ବାଧର କୁଅଁର, ସୁରେଶ ପୂଜାରୀ, ଯତୀନ ମହାନ୍ତି ଓ ବିରଂଚି ନାରାୟଣ ତ୍ରିପାଠୀ ରହିଛନ୍ତି ।

ଚଳିତଥର ଦଳ ଯେଉଁ ନେତାମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଛି ସେମାନେ ହେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ, ଛତିଶଗଡ ଅର୍ଥମନ୍ତ୍ରୀ ଓପି ଚୌଧୁରୀଙ୍କ ସମେତ ଏମପି ଅପରାଜିତା ଷଷଙ୍ଗୀ ଓ ବରିଷ୍ଠ ନେତା ସମ୍ବିତ ପାତ୍ର ରହିଛନ୍ତି ।

ଏହି ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକାରେ ପୂର୍ବଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡକରୀ, ଯୋଗୀ ଆଦିତ୍ୟ ନାଥଙ୍କ ସମେତ ଅନ୍ୟ ହେଭିଓ୍ବେଟମାନେ ଅଛନ୍ତି ।

Share