Categories: ଜାତୀୟ

ନୀତୀଶଙ୍କ ନେତୃତ୍ୱକୁ ଭାଜପାର ସମର୍ଥନ

ପାଟନା,୭।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଦେଖାଦେଇଥିବା ଫାଟ କ୍ରମଶଃ ମଳିନ ପଡ଼ିଯାଇଛି। ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଜେଡିୟୁକୁ ବିରୋଧ କରିବ ଓ ଏନ୍‌ଡିଏ ସହ ରହିବ ବୋଲି କହି ଦ୍ୱନ୍ଦ୍ୱ ସୃଷ୍ଟି କରିଥିବାବେଳେ ଭାଜପା ଅକଳରେ ପଡ଼ିଥିଲା। ଏବେ ଏହା ଦୂର ହୋଇଛି। ପ୍ରଦେଶ ଭାଜପା ମୁଖ୍ୟ ସଞ୍ଜୟ ଜୈଶଓ୍ବାଲ ପକ୍ଷରୁ ନିଜର ନୀତିଗତି ସ୍ପଷ୍ଟ କରାଯିବା ସହ ଏଲ୍‌ଜେପି ସହ କୌଣସି ଭିତିରି ବୁଝାମଣା କରାଯିବନି ବୋଲି ମଙ୍ଗଳବାର ସ୍ପଷ୍ଟ କରିଛି। ଏଥିସହ ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ୍‌ କୁମାର ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରିଛି। ନୀତୀଶ୍‌ଙ୍କ ନେତୃତ୍ୱରେ ଏନ୍‌ଡିଏ ବିହାର ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ କରାଯାଇଛି। ଏଲ୍‌ଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୌଣସି ଫଟୋ ପ୍ରଚାରବେଳେ ବ୍ୟବହାର କରିପାରିବ ନାହିଁ ବୋଲି ଜୈଶଓ୍ବାଲ କହିଛନ୍ତି।
ଅନ୍ୟପକ୍ଷରେ ଜେଡିୟୁ-ଭାଜପା ମଧ୍ୟରେ ମଙ୍ଗଳବାର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଜେଡିୟୁ ୧୨୨ ଓ ଭାଜପା ୧୨୧ ଆସନରେ ନିର୍ବାଚନ ଲଢ଼ିବେ। ଜିତନ୍‌ରାମ ମାନ୍‌ଝୀଙ୍କୁ କୋଟାରେ ଏନ୍‌ଡିଏରୁ ୭ ଆସନ ଛଡ଼ାଯିବ ବୋଲି ଜଣାପଡ଼ିଛି।

Share