ବ୍ଲକ ଘେରିଲା ଭାଜପା

ପୁରୁଷୋତ୍ତମପୁର,୩।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଭାଜପା ପକ୍ଷରୁ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ୱରେ ଭାଜପା କର୍ମୀମାନେ କାଳୀ ମନ୍ଦିର ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ।

ଏହି ଅବସରରେ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ପ୍ରତିବାଦ ସଭା କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ବିଜୟ କୁମାର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଅଭିଯୋଗ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ପ୍ରଦାନ କରିବା ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଣୁ ଏହାର ସର୍ଭେ କରି ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବା ଲାଗି ଦାବି କରାଯାଇଛି। ଏଥିରେ ଜିଲା ସମ୍ପାଦକ ଯଜ୍ଞ ନାରାୟଣ ଦାଶ, ଚିତ୍ତରଞ୍ଜନ ସାହୁ, ଶେଷଦେବ ପଣ୍ଡା, କୃଷ୍ଣ ଚନ୍ଦ୍ର ନାୟକ, ଟୁକୁନା ବେହେରା, ସୁବାସ ଚନ୍ଦ୍ର ଦାଶଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗଦେଇ ଥିଲେ।

Share