ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲା ଭାଜପା

କେନ୍ଦୁଝର,୧୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକା ସହରବାସୀଙ୍କୁ ସର୍ବନିମ୍ନ ସୁବିଧା ମିଳୁ ନ ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଭାଜପା। ପୌରପାଳିକା ହୋଲ୍ଡି ଟ୍ୟାକ୍ସ, ୟୁଜର୍ସ ଫି ବାବଦ କୋଟି କୋଟି ଟଙ୍କା ଆଦାୟ କରୁଥିବା ବେଳେ ସହରବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ମିଳୁନାହିଁ। ୨୧ ଓ୍ବାର୍ଡ ବିଶିଷ୍ଟ ଏହି ପୌରପାଳିକାରେ ଲୋକଙ୍କ ପ୍ରକୃତ ସମସ୍ୟା ସମାଧାନ ହେଉ ନ ଥିବା ବେଳେ କୋଟି କୋଟି ଟଙ୍କା ସୌନ୍ଦର୍ଯ୍ୟକରଣ ନାମରେ ପାର୍କ, ପୋଖରୀ ଉନ୍ନତିକରଣ ନାମରେ ଖର୍ଚ୍ଚ ହେଉଛି। ପୌରାଞ୍ଚଳ ମାଷ୍ଟରପ୍ଲାନ ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ପ୍ଲାନ ଅନୁଯାୟୀ ଗୃହ, ରାସ୍ତାଘାଟ, ଲାଇଟ୍‌, ଡ୍ରେନେଜ୍‌ ଆଦି କରାଯାଇ ନ ଥିବାରୁ ସମସ୍ୟା ବହୁଗୁଣା ବଢ଼ିଯାଇଛି। ଓ୍ବାର୍ଡରେ ରାସ୍ତାଘାଟ ସମସ୍ୟା ସହିତ ଡ୍ରେନେଜ୍‌ ସମସ୍ୟା ସର୍ବାଗ୍ରେ ରହିଛି। ମାଷ୍ଟରପ୍ଲାନ୍‌ ଅନୁଯାୟୀ କାମ ହେଉ ନ ଥିବାରୁ ଅଣଓସାରିଆ ରାସ୍ତାରେ ଲୋକମାନେ ଯାତାୟାତ କରୁଛନ୍ତି। ଏହି କାରଣରୁ ଅନେକ ସାହିରେ ଜରୁରୀକାଳିନ ଆମ୍ବୁଲାନ୍ସ,ଦମକଳ, ପାଣି ଟ୍ୟାଙ୍କର,ସ୍କୁଲ ଭ୍ୟାନ,ଗ୍ୟାସ ନେବା ଆଣିବା କରୁଥିବା ଗାଡ଼ି ଆଦି ପ୍ରବେଶ କରି ପାରୁନାହିଁ । ଏ ନେଇ ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଏକ ଟିମ୍‌ ପୌର ନିର୍ବାହୀ ଅଧିକାରୀଙ୍କୁ ବୁଧବାର ଭେଟି ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି।