କ୍ରାନ୍ତି ଦିବସରେ ପୌର କାର୍ଯ୍ୟାଳୟ ଘେରାଉ କଲା ଭାଜପା

ବଡ଼ବିଲ,୯ା୮(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ଭାଜପା ବଡ଼ବିଲ ନଗର ମଣ୍ଡଳ ପକ୍ଷରୁ ବୁଧବାର କ୍ରାନ୍ତି ଦିବସ ଅବସରରେ ବଡ଼ବିଲ ପୌର କାର୍ଯ୍ୟାଳୟ ଘେରାଉ କରି ପୋରାଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଛି।
ଅଗଷ୍ଟ ୯ ତାରିଖକୁ ଦେଶ ବ୍ୟାପୀ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଭାଜପା ବଡ଼ବିଲ ନଗର ମଣ୍ଡଳ ପକ୍ଷରୁ ବୁଧବାର ପୂର୍ବାହ୍ନରେ ପୋରାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ବଡ଼ବିଲ ପୌର କାର୍ଯ୍ୟାଳୟ ଘେରାଉ କରି ଧାରଣା ଦେଇଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ବଡ଼ବିଲ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ପଡୁଥିବା ମଇଳା ପ୍ରତ୍ୟହ ସଫେଇ ନ ହେବା, ଡ୍ରେନ୍‌ରେ ବ୍ଲିଚିଂ ନ ପକାଇବା, ସର୍ବ ସାଧାରଣ ଶୌଚାଳୟଗୁଡ଼ିକର ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ବନ୍ଦ ପଡ଼ିଥିବା ଶୌଚାଳୟଗୁଡିକୁ ଅତି ଶ୍ରୀଘ୍ର ଚାଲୁ କରିବା, ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ ଲାଇନ ବିଛାଇବା ପାଇଁ ଖୋଳାଯାଇଥିବା ରାସ୍ତାଘାଟଗୁଡ଼ିକର ତୁରନ୍ତ ମରାମତି, ରାସ୍ତାଗୁଡିକୁ ଧୂଳି ସଫେଇ ଗାଡି ଯୋଗେ ସହରକୁ ଧୂଳି ମୁକ୍ତ କରିବା, ବିଭିନ୍ନ ପ୍ରକାର ଭତ୍ତା ନିମନ୍ତେ ଦୀର୍ଘ ଦିନରୁ ଆବେଦନ ହୋଇଥିବା ବିଭିନ୍ନ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ, ସହରର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ ଲାଇଟ ସ୍ଥାପନ କରି ସହରକୁ ଆଲୋକିତ କରିବା, ଦୂଷିତ ଜଳକୁ ବିଶୋଧନ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ଆଦି ଦାବି କରିଥିଲେ ଭାଜପା ନେତୃବୃନ୍ଦ। ଏ ନେଇ ବିଭିନ୍ନ ଦାବି ସମ୍ବଳିତ ଏକ ପତ୍ର ପୌର କର୍ତ୍ତୃପକ୍ଷଙ୍କୁ ଭାଜପା ପ୍ରଦାନ କରିଥିବା ଜଣାପଡ଼ିଛି। ଏହି ଘେରାଉରେ ପୂର୍ବତନ ବଡ଼ବିଲ ପୋରାଧ୍ୟକ୍ଷ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମିଶ୍ର, ଜିଲା ଭାଜପା ଉପସଭାପତି ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଭାଜପା ସଂଯୋଜକ ଦେବପ୍ରସାଦ ମିଶ୍ର, ଭାଜପା ଜିଲା ଉପସଭାନେତ୍ରୀ ସପ୍ନା ସାହୁ, ଜିଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି କର, ଭାଜପା ବଡ଼ବିଲ ନଗର ମଣ୍ଡଳ ସାଧାରଣ ସମ୍ପାଦକ ସୁନୀଲ ଦାସ ଏବଂ ଜିଲା ଭାଜପା ହରିଜନ ମୋର୍ଚ୍ଚା ସମ୍ପାଦକ ସନ୍ନ୍ୟାସୀ ମାଝିଙ୍କ ସହ ଭାଜପା କର୍ମୀମାନେ ସାମିଲ ହୋଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।