ବିଜେଡିର ଛାୟା କ୍ୟାବିନେଟକୁ ନେଇ ବର୍ଷିଲା ଭାଜପା, କହିଲା ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଚାଲିଛି…

ଭୁବନେଶ୍ୱର,୧୮।୭: ଓଡ଼ିଶାରେ ପ୍ରଥମ ଥର ଛାୟା କ୍ୟାବିନେଟ ଗଠନ ହୋଇଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରଙ୍କ ପ୍ରତିଟି କାର୍ଯ୍ୟକଳାପକୁ ଘେରିବା ପାଇଁ କମର କଷିଛି ବିଜେଡି। ତେବେ ବୁଧବାର ୫୦ଜଣ ବିଧାୟକଙ୍କୁ ଏହି ଦାୟିତ୍ୱ ବଣ୍ଟନ କରାଯାଇଛି। ଯାହାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି।

ଛାୟା ସରକାର ଷ୍ଟ୍ରାଟେଜିରେ ବିଜେଡି ଦଳୀୟ ବିଧାୟକଙ୍କୁ ବିଭାଗ ବଣ୍ଟନ କରିବାକୁ ନେଇ ସମାଲୋଚନା କରିଛି ଭାଜପା । ଏକାମ୍ର ବିଧାୟକ ବାବୁ ସିଂ ବିଜେଡିକୁ କଟାକ୍ଷ କରି କହିଛନ୍ତି, ଲୋକେ ତାଙ୍କୁ କ୍ଷମତାରୁ ବାହାର କରିସାରିଛନ୍ତି ତଥାପି ସେମାନେ ଭାବୁଛନ୍ତି ଆଜି ସରକାରରେ ଅଛନ୍ତି । ସରକାର ବିଭାଗ ବଣ୍ଟନ କରନ୍ତି ବିରୋଧୀ ଦଳ ନୁହେଁ, ଲୋକେ ଭୁଲ ଠିକ ନିର୍ଦ୍ଧାରଣ କରନ୍ତି । ବିରୋଧୀ ଦଳ ଯଦି କ୍ଷମତାରେ ରହିବା ପାଇଁ ଏତେ ବ୍ୟାକୁଳ ତେବେ ନିର୍ବାଚନ ପର୍ୟ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ବାବୁ ସିଂ ।

ଏକାମ୍ର ବିଧାୟକ କହିଛନ୍ତି, ଏବେ ବିରୋଧୀ ଦଳରେ ଥିବା ବିଜେଡିର ଯେହେତୁ ସରକାରରେ ରହିବାର ହ୍ୟାଙ୍ଗ ଓଭର ଯାଇନି ସେଥିପାଇଁ ଦଳ ପକ୍ଷରୁ ଏଭଳି ବିଭାଗ ବଣ୍ଟନର କରାଯାଇଛି । ଲାଗୁଛି ବିଜୁ ଜନତା ଦଳର ଛାୟା କେନ୍ଦ୍ର ସାଜିଥିବା ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଏ ସବୁ ହେଉଛି । ବିଜେଡିକୁ ଲୋକେ ସରକାରରୁ ବାହାର କରି ଦେଇଛନ୍ତି ସେଥିପାଇଁ ସେମାନେ ବିରୋଧୀ ଦଳର ଭୂମିକାକୁ ସଠିକ ଭାବେ ନିର୍ବାହ କରନ୍ତୁ । ସରକାରର ହ୍ୟାଙ୍ଗ ଓଭରରୁ ଦୁରେଇ ରୁହନ୍ତୁ । ଜନସାଧାରଣ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ସରକାର ପୂରା କରିବେ ।

ଏହାସହ ବାବୁ ସିଂ କହିଛନ୍ତି, ନୂଆ ସରକାର ଆସିବା ଦିନଠାରୁ ଯେଉଁ ସବୁ ନିଷ୍ପତ୍ତି ନିଆଯାଉଛି ତାହା ପୂର୍ବ ସରକାରରେ ଥିବା ନେତାଙ୍କୁ କଷ୍ଟ ହେଉଛି । ନିଜର ପୋଲ ଖୋଲିବା ଭୟରେ ଏଭଳି କରୁଛି ବିଜେଡି । ଏସବୁକୁ ଛାଡି ଜନମତକୁ ବିଜେଡି ସମ୍ମାନ ଦେବା ଶିଖୁ ବୋଲି କହିଛନ୍ତି ବାବୁ ସିଂ କହିଛନ୍ତି।

Share